ବିଜେପି ନେତାଙ୍କ ଦାଦାଗିରି, ଆମ୍ବୁଲାନ୍ସ ଆଗରେ ଗାଡି ରଖିଦେବାରୁ ଡାକ୍ତରଖାନା ଯାଇପାରିଲାନି ଆମ୍ବୁଲାନ୍ସ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବିଜେପି ନେତାଙ୍କ ଦବଙ୍ଗଗିରି। ଆମ୍ବୁଲାନ୍ସ ଆଗରେ ଗାଡି ରଖିଦେବାରୁ ଡାକ୍ତରଖାନା ଯାଇପାରିଲାନି ଆମ୍ବୁଲାନ୍ସ । ଯାହା ଫଳରେ ଆମ୍ବୁଲାନ୍ସ ଭିତରେ ଥିବା ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶର ସୀତାପୁରରୁ ଆସିଛି ଏଭଳି ଘଟଣା ।

ମୃତକଙ୍କ ପରିବାର ଲୋକ ଘଟଣାକୁ ନେଇ ବିଜେପି ନେତାଙ୍କୁ କହିବା ପରେ ଧମକ ଦେଇଥିଲେ ବିଜେପି ନେତା ଉମେଶ ମିଶ୍ରା । ରୋଗୀ ସୁରେଶ ଚନ୍ଦ୍ର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ହୃଦଘାତ ହେବା ଯୋଗୁଁ ଜିଲ୍ଲା ହସ୍ପିଟାଲରୁ ଲକ୍ଷ୍ନୌ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ କହିଥିଲେ ଡାକ୍ତର । ପରିବାର ଲୋକ ସୁରେଶଙ୍କୁ ଆମ୍ବୁଲାନ୍ସରେ ନେଇ ଯାଉଥିବା ବେଳେ ରାସ୍ତାରେ ଗାଡି ଠିଆ କରି କୁଆଡେ ଚାଲିଯାଇଥିଲେ ଉମେଶ ମିଶ୍ରା  । ତାଙ୍କ ଗାଡି ଠିଆ କରିବା ଯୋଗୁଁ ପ୍ରାୟ ଅଧଘଣ୍ଟା ଧରି ଆମ୍ବୁଲାନ୍ସ କୁଆଡେ ଯାଇପାରିନଥିଲା। ସେହି ଆମ୍ବୁଲାନ୍ସ ଭିତରେ ହିଁ ସୁରେଶଙ୍କର ମୃତ୍ୟୁ ହୋଇଥିଲା  । ପରିବାର ଲୋକ ଏନେଇ ବିଜେପି ନେତାଙ୍କୁ ଅଭିଯୋଗ କରିବା ପରେ ପାଲଟା ଧମକ ଦେଇଥିଲେ ଉମେଶ ମିଶ୍ରା ।

ତେବେ ଏନେଇ ପଥଚାରୀମାନେ ଭିଡ଼ିଓ ରେକର୍ଡ କରିଥିଲେ । ଯେଉଁଥିରେ ଉମେଶ ମିଶ୍ରା ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ଧମକ ଦେବା ସହ ପୋଲିସ କେସରେ ଫସେଇଦେବେ ବୋଲି କହୁଛନ୍ତି । ଏପରିକି ଜିଲ୍ଳା ପ୍ରଶାସନ ଓ ଏସପି ତାଙ୍କ ନିର୍ଦ୍ଦେଶରେ କାମ କରୁଥିବା କହିବା ସହ ବର୍ବାଦ କରିଦେବା ନେଇ ଧମକ ଦେଉଥିବା ଉକ୍ତ ଭିଡ଼ିଓରେ ନଜର ଆସୁଛି । ପୋଲିସ ଘଟଣାସ୍ଥଳରେ ଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନଥିଲା ।