ଜନସଂଖ୍ୟା ନିୟନ୍ତ୍ରଣ ଦିଗରେ ସବୁ ବର୍ଗ ସମାନ ଯୋଗଦାନ କରିବା ଆବଶ୍ୟକ: ଯୋଗୀ ଆଦିତ୍ୟନାଥ

1 min read

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଗାତାର ବୃଦ୍ଧି ଜନସଂଖ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ବିଶ୍ୱ ଜନସଂଖ୍ୟା ଦିବସ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ଏହି ଚିନ୍ତା ବ୍ୟକ୍ତ କରିଛନ୍ତି । କାର୍ଯ୍ୟକ୍ରମରେ ଲୋକମାନଙ୍କୁ ସମ୍ବୋଧିତ କରି ଯୋଗୀ ଆଦିତ୍ୟନାଥ କହିଛନ୍ତି, ଆମମାନଙ୍କୁ ଜନସଂଖ୍ୟା ନିୟନ୍ତ୍ରଣ ଉପରେ କାର୍ଯ୍ୟ କରିବା ଆବଶ୍ୟକ । ଏଥିସହିତ ଅଶାନ୍ତିକୁ ମଧ୍ୟ ଧ୍ୟାନରେ ରଖିବା ଜରୁରୀ । ଆଜିର ଦିନରେ ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ଏକ ପ୍ରମୁଖ ଚିନ୍ତାର କାରଣ ପାଲଟିଛି । ଯେଉଁମାନେ ମୂଳ ବାସିନ୍ଦା ସେମାନେ ଅଭିଯାନ ଚଳାଇ ସେମାନଙ୍କ ଜନସଂଖ୍ୟା ନିୟନ୍ତ୍ରଣ କରିବେ ହେଲେ ଅନ୍ୟ ଏକ ବର୍ଗ ଏସବୁକୁ ନମାନିବା ଅସନ୍ତୁଳନ ସୃଷ୍ଟି କରିପାରେ । ସମସ୍ତଙ୍କ ପାଇଁ ସମାନ ନିୟମ ରହିବା ଆବଶ୍ୟକ ।

ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ୧୦୦ କୋଟି ଜନସଂଖ୍ୟା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଲକ୍ଷ ଲକ୍ଷ ବର୍ଷ ଲାଗିଲା କିନ୍ତୁ ୧୦୦ ରୁ ୫୦୦ କୋଟି ହେବାକୁ ମାତ୍ର ୧୮୩-୧୮୫ ବର୍ଷ ଲାଗିଲା । ଚଳିତ ବର୍ଷ ଶେଷ ସୁଦ୍ଧା ବିଶ୍ୱର ମୋଟ ଜନସଂଖ୍ୟା ୮ ମିଲିୟନ ହେବାର ସମ୍ଭାବନା ରହିଛି । ଆଜିର ଭାରତ ୧୩୫-୧୪୦ କୋଟି ଜନସଂଖ୍ୟା ଥିବା ଦେଶ । ଦେଶରେ ଉତ୍ତରପ୍ରଦେଶ ସବୁଠୁ ଜନସଂଖ୍ୟା ବହୁଳ ରାଜ୍ୟ ଅଟେ ।

ଏବେ ରାଜ୍ୟରେ ୨୪ କୋଟି ଲୋକ ବସବାସ କରୁଛନ୍ତି । ଯାହା କିଛି ଦିନ ମଧ୍ୟରେ ୨୫ କୋଟିରେ ପହଞ୍ଚିବ । ଜନସଂଖ୍ୟା ବୃଦ୍ଧି ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ । ଆମକୁ ଏହାର ନିୟନ୍ତ୍ରଣ ଉପରେ କାର୍ଯ୍ୟ କରିବାକୁ ପଡିବ । ସୂଚନା ଥାଉକି, ପୂର୍ବରୁ ଯୋଗୀ ଆଦିତ୍ୟନାଥ, ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ଦିଗରେ ବଡ଼ ପଦକ୍ଷେପମାନ ଗ୍ରହଣ କରିଛନ୍ତି  । ସର୍ବାଧିକ ଦୁଇଟି ଶିଶୁ ଜନ୍ମ କରିବା ନେଇ ନିୟମ ଲାଗୁ କରିଛନ୍ତି । ଦୁଇରୁ ଅଧିକ ପିଲା ଜନ୍ମ କଲେ କୌଣସି ସରକାରୀ ସୁବିଧା ନମିଳିବା ନେଇ ନିୟମ ଲାଗୁ କରିଛନ୍ତି  ।