ମା’ଙ୍କ ସ୍ୱପ୍ନ ଥିଲା ଅନିମେଷଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ

1 min read

Screenshot

ବ୍ୟୁରୋ ରିପୋର୍ଟ: ୨୦୨୩-୨୪ UPSC ରେଜଲ୍ଟରେ ଓଡ଼ିଆ ଛାତ୍ର ଅନିମେଷ ପ୍ରଧାନ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି। ସେ ପ୍ରଥମ ପ୍ରୟାସରେ ହିଁ UPSC ସିଭିଲ ସର୍ଭିସ ପରୀକ୍ଷାରେ ଉର୍ତ୍ତୀନ ହୋଇଛନ୍ତି । ଜୀବନରେ ସଫଳତା ପାଇବା ପଛରେ ଅନେକ ସଂଘର୍ଷ କରିଛନ୍ତି ଅନିମେଷ। ଅନିମେଷ ସ୍କୁଲରେ ପଢୁଥିବା ବେଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା । ମା’ଙ୍କର କର୍କଟ ରୋଗରେ ମୃତ୍ୟୁ ହୋଇଥିଲା। ଏଭଳି ପରିସ୍ଥିତିରେ UPSC ପରି ପରୀକ୍ଷାରେ ଟପ୍ କରିବା ତାଙ୍କ ପରିବାରର ଅଦମ୍ୟ ସାହସ ଏବଂ ସମର୍ଥନର ଫଳାଫଳ ବୋଲି କହିଛନ୍ତି ଅନିମେଷ ।

ଅନିମେଷ ପ୍ରଧାନ ରାଉରକେଲାର ଏନ୍‌ଆଇଟିରୁ କମ୍ପ୍ୟୁଟର ସାଇନ୍ସରେ ବି.ଟେକ୍ କରିଛନ୍ତି। ଏହାପରେ ସେ ଭାରତୀୟ ତୈଳ ନିଗମରେ କାମ କରିବା ଆରମ୍ଭ କରିଥିଲେ। ସେହି ସମୟରେ ସେ ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିଲେ ।  ଅନିମେଷ କହିଛନ୍ତି ଯେ, ତାଙ୍କ ଜୀବନ ସଂଘର୍ଷପୂର୍ଣ୍ଣ ଥିଲା । ତାଙ୍କ ବାପାଙ୍କର ଯେତେବେଳେ ମୃତ୍ୟୁ ହୋଇଥିଲା ସେତେବେଳେ ସେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପାଠ ପଢୁଥିଲେ। ପରେ ମାଆ କର୍କଟ ରୋଗରେ ପୀଡିତ ଥିବା ଅନିମେଷ ଜାଣିବାକୁ ପାଇଥିଲେ । ତାଙ୍କର UPSC ପ୍ରସ୍ତୁତି ସମୟରେ ଏହି ସବୁ ଘଟିଥିଲା, କିନ୍ତୁ ଅନିମେଷ କେବେ ହାର ମାନିନଥିଲେ। ସେ ତାଙ୍କ ମା’ଙ୍କ ଚିକିତ୍ସା ସହିତ ଅଧ୍ୟୟନ ଜାରି ରଖିଥିଲେ।

ଅନିମେଷ କହିଛନ୍ତି, ସେ ତାଙ୍କ ମା’ଙ୍କ ସ୍ୱପ୍ନ ପୂରଣ କରିଛନ୍ତି । ତାଙ୍କ ମାଆଙ୍କର ଇଚ୍ଛା ଥିଲା ଯେ, ସେ ଜଣେ ଆଇଏଏସ୍ ଅଧିକାରୀ ହୁଅନ୍ତୁ । ତାଙ୍କ ମାଆଙ୍କ ମୃତ୍ୟୁ ପରେ ଅନିମେଷ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଅଧିକ ପରିଶ୍ରମ କରିଥିଲେ । ସେ କହିଥିଲେ ଯେ, ତାଙ୍କର ଏହି ପ୍ରୟାସ କେବଳ ତାଙ୍କ ପାଇଁ ନୁହେଁ ବରଂ ତାଙ୍କ ମା’ଙ୍କ ତ୍ୟାଗ ପାଇଁ ।

ଅନିମେଷ ୟୁପିଏସସିର କଠିନ ପରୀକ୍ଷାକୁ ଅତିକ୍ରମ କରି ତାଙ୍କ ମାଆଙ୍କ ସ୍ୱପ୍ନକୁ ସାକାର କରିଛନ୍ତି । ଅନିମେଶଙ୍କ ଜୀବନ କାହାଣୀ ଅନ୍ୟଙ୍କୁ ପ୍ରେରଣା ଦେବା ସହ ଲକ୍ଷ୍ୟ ପଥରେ ଆଗକୁ ବଢିବାର ସାହାସ ଦେବ। ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ହେଲେ ଆଶା ଏବଂ ନିଷ୍ଠା ରହିବା ନିହାତି ଆବଶ୍ୟକ  ।