ସିରିଆରେ ଇରାନର ସାମରିକ ସ୍ଥଳୀରେ ଆମେରିକାର ଏୟାରଷ୍ଟ୍ରାଇକ

1 min read

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଘମାଘୋଟ ଲଢେଇ ଆଶଙ୍କା । ତୀବ୍ର ହେବାରେ ଲାଗିଛି ଇସ୍ରାଏଲ-ହମାଲ ଯୁଦ୍ଧ ସଂକଟ । ସିରିଆସ୍ଥିତ ଇରାନର ଦୁଇଟି ସାମରିକ ସ୍ଥଳୀରେ ଏୟାରଷ୍ଟ୍ରାଇକ କରିଛି ଆମେରିକା । ସିରିଆସ୍ଥିତ ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ ବା ଆଇରଜିସିର ଦୁଇଟି ସ୍ଥଳୀରେ ହମଲା କରିଛି ଆମେରିକା ମିଲିଟାରୀ ।

ଏକ ବିଜ୍ଞପ୍ତି ଜରିଆରେ ଏନେଇ ସୂଚନା ଦେଇଛନ୍ତି ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ । ସେ କହିଛନ୍ତି ଇରାକ ଓ ସିରିଆରେ ଅବସ୍ଥାପିତ ଆମେରିକା ସୈନ୍ୟଙ୍କ ଉପରେ ଇରାନର କେତେକ ସଂଗଠନ ଆକ୍ରମଣ କରିବା ପ୍ରତିବାଦରେ ପ୍ରିସିସନ ସେଲଫ ଡିଫେନ୍ସ ଷ୍ଟ୍ରାଇକ କରାଯାଇଛି ।

ଇରାନର ଆକ୍ରମଣରେ ଜଣେ ଆମେରିକୀୟ କଣ୍ଟ୍ରାକ୍ଟରଙ୍କ ମୃତ୍ୟୁ ଘଟିଥିବାବେଳେ ୨୧ ଜଣ ଆମେରିକୀୟ ସୈନ୍ୟ ଆହତ ହୋଇଥିଲେ ବୋଲି କହିଛନ୍ତି ଅଷ୍ଟିନ । ଆମେରିକୀୟ ସୈନ୍ୟଙ୍କ ଉପରେ ଇରାନ ଆକ୍ରମଣ କରୁଥିବା ନେଇ ଗତ ଗୁରୁବାର ଇରାନର ସୁପ୍ରିମଲିଡର ଆୟାତୋଲ୍ଲା ଖୋମିନୀଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚେତାବନୀ ଦେବା ପରେ ସିରିଆରେ ଏହି ହମଲା ହୋଇଛି ।