ଆମେରିକା ବିମାନ ବନ୍ଦରରେ ଭାରତୀୟଙ୍କ ସହିତ ଅପରାଧୀ ଭଳି ବ୍ୟବହାର,କ’ଣ କହିଲା ଭାରତ ?

1 min read

ନନ୍ଦିଘୋଷ ବ୍ୟୁରୋ : ନ୍ୟୁୟର୍କ ବିମାନବନ୍ଦରରେ ଜଣେ ଭାରତୀୟ ଛାତ୍ରଙ୍କୁ ଅମାନବୀୟ ବ୍ୟବହାର ଘଟଣା ଏବେ ସାମ୍ନାକୁ ଆସିଛି । ଏହାର ଏକ  ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ତାଙ୍କୁ ହାତକଡି ବାନ୍ଧି ତଳେ ପକାଇ ଦିଆଯାଇଛି । ଏହି ଘଟଣାକୁ ଦେଖିଲେ ଆମେରିକାରେ ଭାରତୀୟଙ୍କ ପ୍ରତି ବଢ଼ୁଥିବା ଭେଦଭାବ ଉପରେ ପ୍ରଶ୍ନ ଉଠୁଛି।

ଗତ କିଛି ଦିନ ଧରି ଆମେରିକାର ପ୍ରବାସୀ ନୀତି ବିରୋଧରେ ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଲସ୍ ଆଞ୍ଜେଲସରେ ହୋଇଥିବା ହିଂସାତ୍ମକ ପ୍ରତିବାଦ ଆମେରିକାକୁ ଥରାଇ ଦେଇଛି। ଏହା ପରେ ମଧ୍ୟ ଆମେରିକୀୟ ପ୍ରଶାସନ ତାର କାର୍ଯ୍ୟ ବନ୍ଦ କରୁନାହିଁ। ଏବେ  ଆମେରିକାର ନ୍ୟୁୟର୍କ ବିମାନବନ୍ଦରରେ ଜଣେ ଭାରତୀୟ ଛାତ୍ରଙ୍କ ସହ ହୋଇଥିବା ଅପରାଧୀ ଭଳି ବ୍ୟବହାରର ଭିଡିଓ ଭାଇରାଲ ହେଉଛି। ଭାରତୀୟ ଦୂତାବାସ ମଧ୍ୟ ଏହି ମାମଲାରେ ସକ୍ରିୟ ହୋଇଛି।

କିଏ କରିଥିଲେ ଭିଡିଓ ସେୟାର ?
ଆମେରିକୀୟ ବ୍ୟବସାୟୀ କୁନାଲ ଜୈନ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, ମୁଁ ନ୍ୟୁୟର୍କ ବିମାନବନ୍ଦରରେ ଜଣେ ଭାରତୀୟ ଛାତ୍ରଙ୍କୁ ହାତକଡି ବାନ୍ଧା ହୋଇ, କାନ୍ଦୁଥିବା ଏବଂ ତାଙ୍କୁ ଅପରାଧୀ ପରି ବ୍ୟବହାର କରାଯାଉଥିବାର ଦେଖିଲି। ସେ କାହାକୁ କ୍ଷତି ପହଞ୍ଚାଇବା ପାଇଁ ନୁହେଁ, ବରଂ ନିଜ ସ୍ୱପ୍ନକୁ ସାକାର କରିବାକୁ ଆସିଥିଲେ। ଜଣେ NRI ହୋଇଥିବାରୁ ମୁଁ ଦୁର୍ବଳ ଏବଂ ଭାଙ୍ଗିପଡ଼ିଥିବା ଅନୁଭବ କରୁଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ଆମେରିକୀୟ ଅଧିକାରୀମାନେ ଛାତ୍ରଙ୍କ ସହିତ ଏପରି ବ୍ୟବହାର କରୁଥିଲେ, ସେତେବେଳେ ସେ କାନ୍ଦୁଥିଲେ ଏବଂ କହୁଥିଲେ ଯେ ସେ ପାଗଳ ନୁହଁନ୍ତି। ଅଧିକାରୀମାନେ ଭାରତୀୟ ଛାତ୍ରଙ୍କୁ ହାତକଡି ପିନ୍ଧାଇ ତଳେ ପକାଇ ଦେଇଥିଲେ। ଛାତ୍ରଟି କାନ୍ଦି ଚାଲିଥିଲା ​​ଏବଂ କହୁଥିଲା ଯେ ସେ ପାଗଳ ନୁହେଁ ଏବଂ ସେମାନେ ତାଙ୍କୁ ଜୋରଜବରଦସ୍ତ ପାଗଳ ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି।

କୁନାଲ ଜୈନ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଭାରତୀୟ ଦୂତାବାସ, ଏବଂ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ନିବେଦନ କରିଛନ୍ତି। ସେ ଲେଖିଛନ୍ତି- ଏହି ଛାତ୍ରଙ୍କ ସହ କ’ଣ ଘଟୁଛି ତାହାର କାରଣ ଖୋଜିବା ଉଚିତ। ଏପରି ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଗତ କିଛି ଦିନ ଧରି ଏପରି ମାମଲା ନିରନ୍ତର ବୃଦ୍ଧି ପାଉଛି।

ଆକ୍ଟିଭ ହେଲା ଭାରତୀୟ ଦୂତାବାସ

ଭିଡିଓ ଭାଇରାଲ ହେବାର ଗୋଟିଏ ଦିନ ପରେ, ନ୍ୟୁଆର୍କରେ ଥିବା ଭାରତୀୟ ଦୂତାବାସ ଏହି ଘଟଣା ଉପରେ ମନ୍ତବ୍ୟ ଦେଇ କହିଛି ଯେ ସେମାନେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ପାଇଛନ୍ତି, ଯେଉଁଥିରେ ଦାବି କରାଯାଇଛି ଯେ ଜଣେ ଭାରତୀୟ ନାଗରିକଙ୍କୁ ନ୍ୟୁୟର୍କ ଲିବର୍ଟି ଅନ୍ତର୍ଜାତୀୟ ବିମାନବନ୍ଦରରେ ଅପରାଧୀ ପରି ବ୍ୟବହାର କରାଯାଉଛି । ଆମେ ଏହି ସମ୍ପର୍କରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗରେ ଅଛୁ। ବାଣିଜ୍ୟ ଦୂତାବାସ ଭାରତୀୟ ନାଗରିକଙ୍କ କଲ୍ୟାଣ ପାଇଁ ସର୍ବଦା ପ୍ରତିବଦ୍ଧ ଅଛି।