ତୃତୀୟ ଥର ଜୋ ବାଇଡେନଙ୍କୁ ଭେଟିବେ ଜେଲେନସ୍କି, ଅସ୍ତ୍ରଶସ୍ତ୍ର ସହାୟତା ପ୍ରସଙ୍ଗରେ ଆଲୋଚନା

1 min read

ୱାଶିଂଟନ: ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ମଧ୍ୟରେ ଭେଟଘାଟ । ହ୍ବାଇଟ ହାଉସରେ ହେବାକୁ ଯାଉଥିବା ଆଲୋଚନାକୁ ନେଇ କଳ୍ପନାଜଳ୍ପନା । ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ପରଠାରୁ ଏହା ହେଉଛି ଜେଲେନସ୍କିଙ୍କ ତୃତୀୟ ଓ୍ବାଶିଂଟନ ଗସ୍ତ । ଗତ ସେପ୍ଟେମ୍ବରରେ ସେ ଶେଷ ଥର ଲାଗି ଆମେରିକା ଯାଇଥିଲେ ।

ଯୁଦ୍ଧ ଲାଗି ୟୁକ୍ରେନକୁ ଜରୁରୀ ଅସ୍ତ୍ରଶସ୍ତ୍ର ସହାୟତା ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ହୋଇପାରେ ଆଲୋଚନା । ଆମେରିକାର ସମସ୍ତ ସିନେଟରଙ୍କ ବୈଠକରେ ବି ଯୋଗଦେବେ ଜେଲେନସ୍କି । ବାଚସ୍ପତି ମାଇକ ଜନସନଙ୍କ ସହ ବି ଜେଲେନସ୍କି କେତେକ ପ୍ରସଙ୍ଗରେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ୟୁକ୍ରେନରେ ଚାଲିଥିବା ଋଷର ଧ୍ବଂସଲୀଳା ବିରୋଧରେ ୟୁକ୍ରେନବାସୀଙ୍କୁ ସମର୍ଥନ କରିବା ହ୍ବାଇଟହାଉସର ଉଦ୍ଦେଶ୍ଯ ରହିଛି ।

ୟୁକ୍ରେନରେ ଋଷର ମିସାଇଲ ଓ ଡ୍ରୋନ ହମଲା ବଢୁଥିବାବେଳେ ୟୁକ୍ରେନକୁ ଏସବୁ ବିରୋଧରେ ଲଢିବା ଲାଗି ବଳଶାଳୀ କରିବାକୁ ଆମେରିକା ପ୍ରଥମରୁ ହିଁ ସହାୟତାର ହାତ ବଢାଇଛି । ବାଇଡେନ ଓ ଜେଲେନସ୍କିଙ୍କ ମଧ୍ୟରେ ପ୍ରତିରକ୍ଷା ସହଯୋଗ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ । ଋଷ ବିରୋଧରେ ଆମେରିକା, ୟୁରୋପ ଓ ଅବଶିଷ୍ଟ ବିଶ୍ବର ସମର୍ଥନ ଚାହୁଁଛି ୟୁକ୍ରେନ । ୟୁକ୍ରେନକୁ 60 ବିଲିୟନ ଡଲାରର ଯୁଦ୍ଧାସ୍ତ୍ର ଯୋଗାଇବା ଲାଗି ପ୍ରସ୍ତାବ ରହିଛି ।