ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ, ଆମେରିକାରେ ଏବେ ସାମ୍ବିଧାନିକ ଅଧିକାର ନୁହେଁ ଗର୍ଭପାତ

1 min read

ଓ୍ୱାଶିଂଟନ: ଗର୍ଭପାତ ଉପରେ ନିଷେଧାଦେଶକୁ ନେଇ ସାରା ଆମେରିକାରେ ଝଡ଼ । ଏଣିକି ବିଶ୍ୱର ନମ୍ବର ଓ୍ବାନ ରାଷ୍ଟ୍ରରେ ବେଆଇନ ହେଲା ଗର୍ଭପାତ । ୧୯୭୩ ଜାନେ ରୋ ବନାମ ହେନେରୀ ଓ୍ୱାଡେ ମାମଲାର ରାୟକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଦୀର୍ଘଦିନର ଆଇନଗତ ଯୁଦ୍ଧ ପରେ ସୁପ୍ରିମକୋର୍ଟ ଦେଇଛନ୍ତି ରାୟ । ପ୍ରାୟ ୫୦ ବର୍ଷ ପରେ ଗର୍ଭପାତକୁ ନେଇ ରହିଥିବା ସାମ୍ବିଧାନିକ ଅଧିକାର ଉପରେ ଲାଗିଛି ରୋକ୍ । ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ କାଳରୁ ଗର୍ଭପାତକୁ ଅଧିକାରରେ ପରିଣତ କରିବା ଦାବିରେ ଦେଶବ୍ୟାପୀ ଚାଲିଥିଲା ବିକ୍ଷୋଭ । ମାତ୍ର ଶେଷରେ ସୁପ୍ରିମକୋର୍ଟଙ୍କ ଏହି ରାୟ ସମସ୍ତଙ୍କୁ କରିଛି ନିରାଶ ।

ସୁପ୍ରିମକୋର୍ଟଙ୍କ ଏହି ରାୟ ଆସିବା କ୍ଷଣି ବିଭିନ୍ନ ଷ୍ଟେଟରେ ବନ୍ଦ ହୋଇଛି ଗର୍ଭପାତ । ବଡ଼ କଥା ହେଉଛି ସୁପ୍ରିମକୋର୍ଟଙ୍କ ଏହି ରାୟକୁ ବିରୋଧ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏପରିକି ଏହି ଅଧିକାରକୁ ବଳବତ୍ତର ରଖିବା ଲାଗି ସଂଗ୍ରାମ କରିବେ ବୋଲି ସେ କହିଛନ୍ତି । ଦେଶ ଓ କୋର୍ଟ ଇତିହାସ ଲାଗି ଏହା ଏକ ଦୁଃଖଦ ଦିବସ ଏବଂ ଏହି ରାୟ ଚୂଡ଼ାନ୍ତ ନୁହେଁ । ସୁପ୍ରିମକୋର୍ଟଙ୍କ ଏହି ରାୟ ଆମେରିକାକୁ ୧୫୦ ବର୍ଷ ପଛକୁ ନେଇଛି ବୋଲି ସେ କହିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟର କିଛି ଗୋପନ ତଥ୍ୟ ମାସେ ତଳେ ଲିକ୍ ହେବା ପରେ ଦେଶବ୍ୟାପୀ ଚହଳ ସୃଷ୍ଟି କରିଥିଲା । ସୁପ୍ରିମକୋର୍ଟ ରାୟ ଆସିବା ପରେ ଅନେକ ଷ୍ଟେଟରେ ଏହି ଆଇନ ଅବିଳମ୍ବେ କାର୍ଯ୍ୟକାରୀ କରାଯାଇଛି ।

୧୯୭୩ର ରାୟରେ ସୁପ୍ରିମକୋର୍ଟ କହିଥିଲେ- ନିଜ ଶରୀର ଉପରେ ମହିଳାଙ୍କ ନିଜର ଅଧିକାର ରହିଛି ଏବଂ ସେମାନେ ଇଚ୍ଛାନୁସାରେ ଗର୍ଭପାତ କରିପାରିବେ । ସୁପ୍ରିମକୋର୍ଟଙ୍କ ରାୟ ପରେ ଦେଶରେ ଆନ୍ଦୋଳନ ତୀବ୍ର ହେବା ଆଶଙ୍କା ଥିବାରୁ ସୁପ୍ରିମକୋର୍ଟ ଚାରିପାଖରେ ବ୍ୟାରିକେଡ ଲଗାଯାଇଛି । ବଡ଼କଥା ହେଉଛି ପୂର୍ବତନ ରିପବ୍ଲିକାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ନିଯୁକ୍ତି ତିନି ବିଚାରପତି ଜଷ୍ଟିସ ନିଲ ଗୋର୍ସୁଚ, ଜଷ୍ଟିସ କାଭାନ ଓ ଜଷ୍ଟିସ ଆମି କୋନି ବାରେଟଙ୍କ ଦ୍ୱାରା ବହୁମତରେ ଏହି ରାୟ ଘୋଷିତ ହୋଇଛି ।