ଉତ୍ତରକାଶୀରେ ଟନେଲ ଭିତରେ ଶ୍ରମିକ ଫସିବା ଘଟଣା, ପାହାଡ଼ ଉପରୁ ଡ୍ରିଲିଂ ଆରମ୍ଭ

1 min read

ଉତ୍ତରାଖଣ୍ଡ: ଉତ୍ତରକାଶୀ ଟନେଲରେ ଶ୍ରମିକ ଫସିବା ଘଟଣାରେ ପୁଣି ଆରମ୍ଭ ହେଲା ଉଦ୍ଧାରକାର୍ଯ୍ୟ। ଏବେ ୪ଟି ପ୍ଲାନକୁ ନେଇ ଚାଲିଛି ଉଦ୍ଧାରକାର୍ଯ୍ୟ । ଶ୍ରମିକଙ୍କୁ ଉଦ୍ଧାର ଲାଗି ୪ଟି ସ୍ଥାନରେ ଖୋଳାଯିବ । ଉପର ପଟୁ ୧୨୦ ମିଟର ଉଚ୍ଚରୁ ଚାଲିଛି ରେସକ୍ୟୁ ଅପରେସନ । ଏହି ଅପରେସନକୁ SJVN ହାଇଡ୍ରୋ ଇଲେକଟ୍ରିକ୍ ପାୱାର କମ୍ପାନୀ ଚଳାଇଛି । ସେହିପରି ନବଯୁଗ ଇଂଜିନିୟରିଂ ପକ୍ଷରୁ ଆଗପଟୁ ଧସିଥିବା ଟନେଲ ଅଂଚଳରେ ଚାଲିବ ରେସକ୍ୟୁ ଅପରେସନ । ତେହରି ହାଇଡ୍ରୋ ଇଲେକଟ୍ରିକ୍ ଡେଭଲପମେଣ୍ଟ କର୍ପୋରେଟସନ ପକ୍ଷରୁ ଟନେଲର ପଛପଟୁ ଚାଲିବ ଆଉ ଏକ ଉଦ୍ଧାରକାର୍ଯ୍ୟ ।

ଓଏନଜିସି ପକ୍ଷରୁ  ସମାନ୍ତରାଳ ଭାବରେ ଚାଲିବ ଆଉ ଏକ ଉଦ୍ଧାରକାର୍ଯ୍ୟ। ସେପଟେ ସାଥି ଶ୍ରମିକଙ୍କୁ ଉଦ୍ଧାର ଲାଗି ଧସିଥିବା ଟନେଲ ବାହାରେ ଅନ୍ୟ ଶ୍ରମିକ ପ୍ରତିବାଦ କରୁଛନ୍ତି। ଶ୍ରମିକଙ୍କୁ ଖୁବଶୀଘ୍ର ବାହାର କରିବାକୁ ଧାରଣା ଦେଇଛନ୍ତି । ଦୀର୍ଘ ୧୭୦ ଘଣ୍ଟା ହେଲାଣି ଶ୍ରମିକ ଫସି ରହିଛନ୍ତି।ଶ୍ରମିକ ଫସିଥିବା ଘଟଣାକୁ ୮ ଦିନ ହୋଇଥିବାବେଳେ ଆହୁରି ୪ରୁ ୫ ଦିନ ଲାଗିପାରେ ରେସକ୍ୟୁ ଅପରେସନ। ଶ୍ରମିକଙ୍କ ଉଦ୍ଧାର ଲାଗି ଥାଇଲାଣ୍ଡ, ନରୱେ ଏବଂ ଅଷ୍ଟ୍ରେଲିଆର ବିଶେଷଜ୍ଞ ସେଠାରେ ରହିଛନ୍ତି । ସେମାନଙ୍କ ପରାମର୍ଶ ଅନୁସାରେ ଉଦ୍ଧାରକାର୍ଯ୍ୟ ଚାଲିଛି । ହଲାଣ୍ଡରୁ ଅତ୍ୟାଧୁନିକ ମେସିନ୍ ମଗାଯାଇଛି । ଏହି ମେସିନ ଆସି ପହଞ୍ଚିଲେ ବହୁତ କମ ସମୟରେ ଶ୍ରମିକଙ୍କ ପହଞ୍ଚିହେବ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ବତନ୍ତ୍ର ଟିମ ତତ୍ତ୍ବାବଧାନରେ ଚାଲିଛି ରେସକ୍ୟୁ ଅପରେସନ । କେନ୍ଦ୍ର ସରକାର ମଧ୍ୟ ଏହି ରେସକ୍ୟୁ ପ୍ଲାନକୁ ନେଇ ଆଲୋଚନା କରିଛନ୍ତି । କୌଣସି ଟନେଲ ଖୋଳା କାମ କରିବା ସମୟରେ ଯଦି କୌଣସି ଦୁର୍ଘଟଣା ଘରେ ତେବେ ଶ୍ରମିକଙ୍କ ସୁରକ୍ଷିତ ବାହାରିବା ଲାଗି ହ୍ୟୁମ ପାଇପ ରହିବା କଥା । ତେବେ ଏହି କାମବେଳେ ସେହି ପାଇପ ରଖାଯାଇନଥିଲା । ଶ୍ରମିକଙ୍କ ଜୀବନକୁ ବାଜିରେ ଲଗାଇ ଟନେଲ କାମରେ ବ୍ୟାପକ ଅବହେଳା ପ୍ରଦର୍ଶନ କରାଯାଇଥିବା ଦେଖିବାକୁ ମିଳିଛି ।