ଆଜି ସେଇ ବ୍ୟକ୍ତିଙ୍କ ଜନ୍ମଦିନ ଯିଏ,ଶୋଇଥିବା ଓଡ଼ିଆଙ୍କୁ ନିଦରୁ ଉଠାଇଥିଲେ…

ଭୁବନେଶ୍ୱର: ଉତ୍କଳ ଗୌରବ ମଧୁସୂଦନ ଦାସ । ଓଡ଼ିଆ ଜାତିର ପ୍ରଣମ୍ୟ ପୁରୁଷ ,ଚିରସ୍ମରଣୀୟ ବ୍ୟକ୍ତିତ୍ୱ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ । ଓଡ଼ିଆ ଜନମାନସରେ ସେ ମଧୁବାବୁ ଏବଂ ମଧୁବାରିଷ୍ଟର ଭାବେ ପରିଚିତ । କଟକ ଜିଲ୍ଲାର ସତ୍ୟଭାମାପୁର ଗାଁରେ ୧୮୪୮ ଏପ୍ରିଲ ୨୮ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ ।

ତାଙ୍କ ପିତାଙ୍କ ନାଁ ଥିଲା ଚୌଧୁରୀ ରଘୁନାଥ ଦାସ ଓ ମାତାଙ୍କ ନାଁ ଥିଲା ପାର୍ବତୀ ଦେବୀ । ଗାଁ ପାଠଶାଳାରୁ ଶିକ୍ଷାଲାଭ କରି ସେ କଟକରେ ହାଇସ୍କୁଲରେ ଶିକ୍ଷାଲାଭ କରିଥିଲେ । କଲିକତା ଯାଇ ୧୮୭୦ ମସିହାରେ ଓଡ଼ିଶାର ପ୍ରଥମ ଗ୍ରାଜୁଏଟ୍‌ ଭାବେ ବିଏ ପାସ୍‌ କରିଥିଲେ । ୧୮୭୩ ମସିହାରେ ଏମ.ଏ ଓ ପରେ ବି.ଏଲ ପାଶ କରି କଲିକତାରେ ପ୍ରଥମ ଓଡ଼ିଆ ଭାବେ ଓକିଲାତି କରିଥିଲେ ମଧୁବାବୁ । ତାଙ୍କ ମନ ଭିତରେ ଓଡ଼ିଆ ତଥା ଓଡ଼ିଶା ପାଇଁ ସ୍ୱତନ୍ତ୍ର ସ୍ଥାନ ଥିଲା । ୧୯୦୩ ମସିହାରେ ମଧୁବାବୁଙ୍କ ପ୍ରଚେଷ୍ଟାରେ ଆହୂତ ହୋଇଥିଲା ଉତ୍କଳ ସମ୍ମିଳନୀ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ ମଧୁବାବୁ ଲଣ୍ଡନ ଯାତ୍ରା କରି ବିଲାତ ସରକାରଙ୍କ ନିକଟରେ ନିଜର ବଳିଷ୍ଠ ଯୁକ୍ତି ରଖିଥିଲେ । କୁଟୀର ଶିଳ୍ପର ବିକାଶ, କୃଷି, ବାଣିଜ୍ୟ, ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଏକ ନୂତନ ଜାଗରଣ ସୃଷ୍ଟି କରିବା ପାଇଁ ମଧୁବାବୁ ଥିଲେ ଉଦ୍ୟମରତ । ସେ ଦୁଇଥର ଉତ୍କଳ ସମ୍ମିଳନୀର ସଭାପତି ଓ ବିହାର ଓଡ଼ିଶା ବ୍ୟବସ୍ଥାପକ ସଭାର ସଦସ୍ୟ ଭାବେ ମନୋନୀତ ହୋଇଥିଲେ ।

୧୯୨୧ରେ ବିହାର ଓଡ଼ିଶା ସରକାରରେ ସ୍ୱାୟତ୍ତ ଶାସନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଶିଳ୍ପର ଉନ୍ନତି ପାଇଁ ସେ ପ୍ରତିଷ୍ଠା କରିଥିଲେ ଉତ୍କଳ ଟ୍ୟାନେରୀ ଓ ଓଡ଼ିଶା ଆର୍ଟ ଓୟାର । ଲଣ୍ଡନରେ ଓଡ଼ିଶାର କାରିଗରି ଶିଳ୍ପ ଓ ଚମଡ଼ା ଶିଳ୍ପର ବିକାଶ ପାଇଁ ଏକ ପ୍ରଦର୍ଶନୀର ଆୟୋଜନ କରିଥିଲେ ସେ । ଓଡ଼ିଆଙ୍କ ପ୍ରାଣରେ ଜାତୀୟତା ଭାବର ଉଦ୍ରେକ କରିବା ପାଇଁ ସେ ବହୁ କବିତା ଓ ସାହିତ୍ୟ ସୃଷ୍ଟି କରିଥିଲେ । ଓକିଲାତି ସମୟରେ ନିଜ ବିଚକ୍ଷଣ ବୁଦ୍ଧିମତ୍ତାର ପରିଚୟ ଦେଇଥିଲେ ସେ ।

ପୁରୀ ଜଗନ୍ନାଥ ମନ୍ଦିର ମୋକଦ୍ଦମା, ରାମଚନ୍ଦ୍ର ଦେବଙ୍କ ପୋଷ୍ୟପୁତ୍ର ମୋକଦ୍ଦମା, କେନ୍ଦୁଝର ରାଜାଙ୍କ ମୋକଦ୍ଦମା ଲଢ଼ି ଜିତିବା ସହ ଓକିଲ ହୋଇ ମଧୁବାବୁ ଭାବେ ମଧ୍ୟ ସେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ପ୍ରକୃତରେ ମଧୁବାବୁ ଥିଲେ ଓଡ଼ିଆ ଜାତିର ସ୍ୱାଭିମାନ ଓ ଓଡ଼ିଆ ଜାତିର ଗୌରବ ।

Leave a Reply