ଉତ୍ତରକାଶୀରେ ବାଦଲ ଫଟା ବର୍ଷାର ତାଣ୍ଡବ ବେଳେ କାହିଁକି ହ୍ବିସିଲ ମାରୁଥିଲେ ଲୋକେ ?

1 min read

ନନ୍ଦିଘୋଷ ବ୍ୟୁରୋ: ଉତ୍ତରକାଶୀରେ ବାଦଲ ଫଟା ବର୍ଷାର ତାଣ୍ଡବ । ଖିର ଗଙ୍ଗା ନଦୀରେ ହଠାତ ବନ୍ୟା ଆସି ନିମିଷକରେ ଗୋଟିଏ ପରେ ଗୋଟିଏ ଗାଁକୁ ଧୋଇ ନେଲା । ଶତାଧିକ ଲୋକ ବନ୍ୟା ପାଣିରେ ଭାସି ଗଲେ । ଘର, ହୋଟେଲଠାରୁ ଆରମ୍ଭ କରି ପାଣିର ସ୍ରୋତ ଆଗରେ ଯାହା ଆସିଲା ସବୁ କିଛି ଧୋଇଗଲା । ଯାହାର ଭିଡିଓ ଆପଣମାନେ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆରୁ ଦେଖିବାକୁ ପାଉଥିବେ । ହେଲେ ଭଲ କରି ଏହି ସବୁ ଭିଡିଓକୁ ଦେଖନ୍ତୁ, ଯାହା ସ୍ଥାନୀୟ ଲୋକେ ରେକର୍ଡି କରିଛନ୍ତି । ଏଥିରେ ନଦୀ ପାଣି ସବୁ କିଛି ଛାରଖାର କରୁଥିବା ବେଳେ ଭିଡିଓ ବନାଉଥିବା ଲୋକେ ଚିତ୍କାର କରିବା ବଦଳରେ ହ୍ବିସିଲ ମାରୁଥିବା ଶୁଣିବାକୁ ପାଇବେ । ଏବେ ପ୍ରଶ୍ନ ଉଠିଛୁ, ଏମିତି ବିପର୍ଯ୍ୟୟ ସମୟରେ ଆଖି ଆଗରେ ଲୋକେ ଭାସି ଯାଉଥିବା ବେଳେ ଭିଡିଓ କରୁଥିବା ଲୋକେ କେମିତି ହ୍ବିସିଲ ମାରୁଛନ୍ତି ?

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡର ଗ୍ରାମାଞ୍ଚଳରେ ହ୍ବିସିଲ ମାରିବା କେବଳ ଏକ ମନୋରଞ୍ଜନ ନୁହେଁ, ଜରୁରୀକାଳୀନ ସ୍ଥିତିର ସୂଚନା ଦେବାର ଏକ ପାରମ୍ପରିକ ମାଧ୍ୟମ । ଏ ପରମ୍ପରା ସେ କାଳରୁ ଚାଲି ଆସୁଛି, ଯେତେବେଳେ ନା ମୋବାଇଲ ଥିଲା ନା ମାଇକ ଥିଲା ନା କୌଣସି ସୂଚନା ଦେବାର ସିଷ୍ଟମ ଥିଲା । ଅଞ୍ଚଳରେ ଯେତେବେଳେ ଭୂ-ସ୍ଖଳନ ହେଉଥିଲା କି ବ୍ୟାପକ ବର୍ଷା ଓ ଜଙ୍ଗଲରେ ନିଆଁ ଲାଗୁଥିଲା, ସେତେବେଳେ ଲୋକେ ଜୋର ଜୋରରେ ହ୍ବିସିଲ ବଜାଇ ଅନ୍ୟମାନଙ୍କୁ ସୂଚିତ କରୁଥିଲେ । ବିନା କୌଣସି ସମୟ ନଷ୍ଟ କରି ଯେତେ ଦୂର ସମ୍ଭବ ହ୍ବିସିଲ ବଜାଇ ଶବ୍ଦ ପହଞ୍ଚାଇ ଲୋକଙ୍କୁ ସତର୍କ କରିବାର ଏହାର ମୁଖ୍ୟ ଉଦ୍ଦେଶ୍ୟ ।

ଚିତ୍କାର ବଦଳରେ ହ୍ବିସିଲ କାହିଁକି ?

ସୂଚନାଯୋଗ୍ୟ, କିଛି କହିଲେ କି ଗାଇଲେ ଏହା ପାହାଡ଼ରେ ଗୁଞ୍ଜରିତ ହୋଇଥାଏ । ମଣିଷର ଚିତ୍କାର ବହୁ ସମୟରେ ଭିନ୍ନ ଭିନ୍ନ ପ୍ରକାରରେ ବିଚାର କରାଯାଇଥାଏ । ହେଲେ ହ୍ବିସିଲ ଏକ ସ୍ବଚ୍ଛ, ତୀକ୍ଷ୍ନ ଓ ଚିହ୍ନି ହେବା ପରି ଶବ୍ଦ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ହ୍ବିସିଲ ବାଜିଲେ ନା କେବଳ ମଣିଷ, ପଶୁପକ୍ଷୀ ମଧ୍ୟ ସତର୍କ ହୋଇଯାଆନ୍ତି ଓ ନିଜ ମାଲିକ ପାଖକୁ ଦୌଡିଥାନ୍ତି । ହ୍ବିସିଲ ବାଜିବା ମାତ୍ରାରେ ଆଖପାଖରେ ଥିବା ଲୋକେ ବୁଝି ଯାଇଥାନ୍ତି କି କିଛି ବିପଦ ରହିଛି । ଏହାପରେ ସେମାନେ ହ୍ବିସିଲ ମାରି ଆଗରେ ଥିବା ଲୋକଙ୍କୁ ବପଦ ସମ୍ପର୍କରେ ସୂଚନା ଦେଇଥାନ୍ତି । ଏମିତି ସ୍ଥିତିରେ ଏକ ସାଉଣ୍ଡ ଚେନ୍ ସୃଷ୍ଟି ହୋଇଥାଏ, ଯାହା ଦୂରରେ ଥିବା ଲୋକଙ୍କୁ ବି ସତର୍କ ହେବାକୁ ସୂଚନା ଦେବାକୁ ସକ୍ଷମ ହୋଇଥାଏ ।

ହ୍ବିସିଲ ମରା ପରମ୍ପରା କ’ଣ ?

ସ୍ଥାନୀୟ ବୟୋଜେଷ୍ଠ ବ୍ୟକ୍ତିଙ୍କ ଅନୁସାରେ ଏହି ପରମ୍ପରା ପ୍ରାୟ ୧୦୦ ବର୍ଷ ପୁରୁଣା । ବିଶେଷ କରି କୁମାଉଁ ଏବଂ ଗଢ଼ଓ୍ବାଲ ଅଞ୍ଚଳରେ ବର୍ଷା, ବରଫ ବର୍ଷା କିମ୍ବା ବାଘ ପରି ଜଙ୍ଗଲୀ ଜନ୍ତୁଙ୍କୁ ଦେଖିଲେ ହ୍ବିସିଲ ମରାଯାଇଥାଏ । ଏହି ହ୍ବିସିଲ ଶବ୍ଦ ଗାଁର ଯୁବକ, ଗାଈ ଚରାଳି ଓ ମହିଳାଙ୍କ ପାଖରେ ଶୀଘ୍ର ପହଞ୍ଚି ଯାଇଥାଏ ।

ଏମିତିକି ବିପର୍ଯ୍ୟୟ ପରିଚାଳନା ବିଶେଷଜ୍ଞମାନେ ମଧ୍ୟ ଏହାକୁ ଚମତ୍କାର ବୋଲି କହିଛନ୍ତି । ସେମାନଙ୍କ ମତରେ ଏହାକୁ ସଠିକ ଉପାୟରେ ବ୍ୟବହାର କରାଗଲେ ଏହା ବହୁତ ଲାଭଦାୟକ ହେବ । ଯେମିତି କି ଏହା ସ୍ଥିର କରିବାକୁ ପଡ଼ିବ କେଉଁ ସ୍ଥିତିରେ କେତେ ଥର ହ୍ବିସିଲ ମାରିବାକୁ ପଡ଼ିବ । ଏମିତି ହେଲେ ଏହା ଏକ ଭଲ ବିପଦ ସୂଚନା ଦେଉଥିବା ଓ୍ବାର୍ଣ୍ଣିଂ ସିଷ୍ଟମ ହୋଇପାରିବ ।