ଟିକାକରଣ ନେଇ କେନ୍ଦ୍ର ସରକାରଙ୍କ ଏସ୍‌ଓପି: ଗୋଟିଏ ପର୍ଯ୍ୟାୟରେ ୧୦୦ ଜଣଙ୍କୁ ଦିଆଯିବ ଟିକା

ନୂଆଦିଲ୍ଲୀ: କରୋନା ଟିକାକରଣ ନେଇ ଏସ୍ଓପି ଜାରି କରିଛନ୍ତି କେନ୍ଦ୍ର ସରକାର । ଟିକାକରଣ ସମୟରେ ଭିଡ଼ କମାଇବା ସହ ଏହାକୁ ସହଜ କରିବାକୁ ଏସ୍‌ଓପିରେ ଗୁରୁତ୍ୱ ଦିଆଯାଇଛି । ଏଣୁ ଗୋଟିଏ ପର୍ଯ୍ୟାୟରେ ମାତ୍ର ୧୦୦ ଜଣଙ୍କୁ କରୋନା ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।

            କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏସ୍ଓପି ଅନୁଯାୟୀ ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ୫ ଜଣ ନିୟୋଜିତ ରହିବେ । ୫ ଜଣଙ୍କ ମଧ୍ୟରେ ଜଣେ ମୁଖ୍ୟ ଅଧିକାରୀଙ୍କୁ ଅନ୍ୟ ଚାରିଜଣ ସହଯୋଗ କରିବେ । ଜଣେ ଡାକ୍ତର, ନର୍ସ, ଫାର୍ମାସିଷ୍ଟ କିମ୍ୱା ଇଞ୍ଜେକସନ୍ ଦେବା ପାଇଁ ଆଇନଗତ ଭାବେ ଯୋଗ୍ୟ ବ୍ୟକ୍ତି ହୋଇଥିବା ଦରକାର । ଦ୍ୱିତୀୟ ଅଧିକାରୀ ସୁରକ୍ଷା ପାଇଁ ରହିବେ । ତୃତୀୟ ଅଧିକାରୀ ଡକ୍ୟୁମେଣ୍ଟ ଯାଞ୍ଚ କରିବା ସହ ଚତୁର୍ଥ ଏବଂ ପଞ୍ଚମ ଅଧିକାରୀ ଭିଡ଼ ପରିଚାଳନା ଏବଂ ଯୋଗାଯୋଗ ପାଇଁ ରହିବେ । ଏହା ସହ ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ପ୍ରତୀକ୍ଷା କରିବା, ଟିକାକରଣ ଏବଂ ପର୍ଯ୍ୟବେକ୍ଷଣ ପାଇଁ ୩ଟି କକ୍ଷ ରହିବ । ଗୋଟିଏ ଦିନରେ ଯେ କୌଣସି ବ୍ୟକ୍ତିଙ୍କୁ ଟିକା ଦିଆଯିବ, ତାଙ୍କୁ ପରବର୍ତ୍ତୀ ଅଧଘଣ୍ଟା ପାଇଁ ପର୍ଯ୍ୟବେକ୍ଷଣ କକ୍ଷରେ ତତ୍ତ୍ୱାବଧାନରେ ରଖାଯିବ । ୧୧୨ ପୃଷ୍ଠା ବିଶିଷ୍ଟ ଏହି ଏସଓପିରେ ଟିକାକରଣ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା କର୍ମୀ ଟିକାକୁ ସୁରକ୍ଷିତ ଭାବେ ରଖାଯିବା ନେଇ ମଧ୍ୟ ସୂଚନା ରହିଛି । ଏଥିସହିତ ଟିକାକୁ ଶୀତଳ ଭଣ୍ଡାରେ ରଖିବାକୁ କୁହାଯାଇଛି ଯାହା ଦ୍ୱାରା ତାହା ବ୍ୟବହାର ଯୋଗ୍ୟ କଣ୍ଡିସନରେ ରହିବ ।

Leave a Reply