୩ ବର୍ଷରୁ ଅଧିକ ପିଲାଙ୍କୁ ଶୀଘ୍ର ଟିକା

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଶୀଘ୍ର ପିଲାଙ୍କୁ ନେଇ ଥିବା ଚିନ୍ତା ଦୂର ହେବାକୁ ଯାଉଛି । 3 ବର୍ଷ ଓ ତାଠାରୁ ଅଧିକ ବୟସ୍କ ପିଲାଙ୍କୁ ମିଳିବ କରୋନା ଟିକା । 6 ମାସ ମଧ୍ୟରେ ଆସିବ ପିଲାଙ୍କ ପାଇଁ ସଞ୍ଜୀବନୀ । ଏନେଇ ଘୋଷଣା କରିଛନ୍ତି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ମୁଖ୍ୟ ତଥା ସିଇଓ ଅଦର ପୁନାଓ୍ବାଲା ।

ସେ କହିଛନ୍ତି, ‘୬ ମାସ ଭିତରେ ସେରମ ଇନଷ୍ଟିଚ୍ୟୁଟର କୋଭାଭାକ୍ସ ପିଲାଙ୍କ ଲାଗି ଆସିବ । କରୋନା ଟିକା ବାହାର କରିବା ଲାଗି ୧୦୦ କୋଟି ଡଲାର ନିବେଶ କରାଯାଇଛି ଏବଂ ଟିକା ଆସିବା ଯୋଗୁଁ ମହାମାରୀର ମୁକାବିଲା କରାଯାଇପାରିଛି । ନୂଆ ଭାରିଆଣ୍ଟ ଓମିକ୍ରନର ମୁକାବିଲା ଲାଗି ଟିକା ପ୍ରସ୍ତୁତ କରିବା ପ୍ରକ୍ରିୟା ଜାରି ରହିଛି । ଏକ ବୁଷ୍ଟର ଡୋଜ ଯେପରି ପ୍ରସ୍ତୁତ କରାଯାଇପାରିବ ସେଥିଲାଗି ଗବେଷଣା ଜାରି ରହିଛି । ଟିକା ଆବଶ୍ୟକତା ପୂରଣ ଲାଗି ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଅଧିକ ବର୍ଗର ଟିକା ଲାଗି କ୍ଲିନିକାଲ ଟ୍ରାଏଲ ଲାଗି ବିଭିନ୍ନ ରାଜିନାମା କରାଯିବା ଆବଶ୍ୟକ ।’

ବର୍ତ୍ତମାନ ସୁଦ୍ଧା ଯେଉଁ ଟିକା ବାହାରିଛି ସେସବୁ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଦିଆଯାଉଛି । ଟିକା ଉତ୍ପାଦନ ଲାଗି ଭାରତର ଦୁଇଟି କମ୍ପାନୀଙ୍କୁ ଲାଇସେନ୍ସ ମିଳିଥିବା ସେ କହିଛନ୍ତି । ବର୍ତ୍ତମାନ ମାସକରେ ସେରମ ଇନଷ୍ଟିଚ୍ୟୁଟ ୨୫ରୁ ୨୭ କୋଟି ଡୋଜ ଉତ୍ପାଦନ କରୁଛି । ସେପଟେ ଓମିକ୍ରନର ମୁକାବିଲା ଲାଗି ବଟିକା ପ୍ରସ୍ତୁତ ହେଉଛି ବୋଲି କହିଛି ଫାଇଜର । କମ୍ପାନୀ ପକ୍ଷରୁ କୁହାଯାଇଛି ୨ ହଜାର ୨୫୦ ଲୋକଙ୍କ ନିକଟରେ ଏହି ବଟିକା ବ୍ୟବହାର କରାଯାଇଛି ଏବଂ ଏହା ସଫଳ ହୋଇଥିବା ସ୍ପଷ୍ଟ ହୋଇଛି । ଏହି ବଟିକା ବ୍ୟବହାର କଲେ ହସ୍ପିଟାଲରେ ଭର୍ତ୍ତି ହେବା ଓ ମୃତ୍ୟୁ ୮୯ ପ୍ରତିଶତ ହ୍ରାସ ହୋଇଥାଏ ।

Leave a Reply