ଓମିକ୍ରନ ସଂକ୍ରମଣରୁ ସୁରକ୍ଷା ଦେବ ଟିକା

ଭୁବନେଶ୍ବର: ଦେଶରେ କରୋନା ଭୂତାଣୁ ଓମିକ୍ରନ ଚିନ୍ତା ବଢ଼ାଇଥିବା ବେଳେ ସମସ୍ତଙ୍କୁ ଟିକା ନେବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ପ୍ରଥମ ଡୋଜ୍‌ ନେଇନଥିବା ୪୧ଲକ୍ଷ ଲୋକଙ୍କୁ ତୁରନ୍ତ ଟିକା ନେବାକୁ ବିଭାଗ ତରଫଣୁ କୁହାଯାଇଛି । ଏପରିକି ଏମାନଙ୍କୁ ଉତ୍ସାହିତ କରିବା ପାଇଁ ଜନପ୍ରତିନିଧି ଓ ସାମାଜିକ କର୍ମୀଙ୍କ ସହଯୋଗ ଲୋଡ଼ିଛନ୍ତି ରାଜ୍ୟ ସରକାର । ଟିକା ନନେଲେ ସଂକ୍ରମଣ ବଢିବା ଆଶଙ୍କା ରହିଛି । ତେଣୁ ଗାଁ ଗାଁରେ ଟିକା ନେଇନଥିବା ଲୋକଙ୍କୁ ଚିହ୍ନଟ କରିବାକୁ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଟିକାକୁ ସଂକ୍ରମଣର ସୁରକ୍ଷା କବଚ କୁହାଯାଉଛି । ଟିକା ନେଇ ସଂକ୍ରମିତ ହେଲେ ଗୁରୁତର କି ମୃତ୍ୟୁ ହେବା ଆଶଙ୍କା କମ୍‌ । ଓମିକ୍ରମଠାରୁ ଟିକା ଶତ ପ୍ରତିଶତ ସୁରକ୍ଷା ନଦେଲେ ମଧ୍ୟ କ୍ରସ ପ୍ରୋଟେକ୍ସନ ଦେବ । ତେଣୁ ସମସ୍ତେ କରୋନା ଟିକା ନେବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ଅନ୍ୟ ରାଜ୍ୟରେ ଓମିକ୍ରନ ସଂକ୍ରମଣ ବଢୁଥିବାରୁ ଶୀଘ୍ର ଟିକା ନେଇ ନେବାକୁ ସ୍ବାସ୍ଥ୍ୟ ବିଭାଗ ଅପିଲ୍‌ କରାଯାଇଛି ।

ରାଜ୍ୟରେ ଟିକା ନେଇ ନଥିବା ୪୧ ଲକ୍ଷ ଲୋକଙ୍କୁ ଚିହ୍ନଟ କରି ତୁରନ୍ତ ଟିକାକେନ୍ଦ୍ରକୁ ଆଣିବାକୁ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ଟିକାକରଣକୁ ତ୍ବରାନ୍ବିତ କରିବା ପାଇଁ ଟାସ୍କଫୋର୍ସ ଗଠନ କରାଯାଇଛି । କେଉଁ ବ୍ଲକରେ କେତେ ଲୋକ ଟିକା ନେଇନାହାନ୍ତି ସେନେଇ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪ କୋଟି ୬୨ ଲକ୍ଷ ଡୋଜ୍ ଟିକା ଦିଆଯାଇଛି। ପ୍ରଥମ ଡୋଜ୍‌ ୮୭.୪ ପ୍ରତିଶତ ଲୋକ ନେଇଛନ୍ତି । ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍‌ ଟିକା ଦେବାକୁ ଲକ୍ଷ୍ୟ ରଖିଛି ସ୍ବାସ୍ଥ୍ୟ ବିଭାଗ।

Leave a Reply