୨୯ ଛକା, ୩୫୫ ରନ, ସବୁଠାରୁ ଦ୍ରୁତ ଶତକ…. ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ନୂଆ ଧମାକା

1 min read

ଭାରତୀୟ କ୍ରିକେଟର ଉଜ୍ଜ୍ବଳ ସୀତାରା ବୈଭବ ସୂର୍ଯ୍ୟବଂଶୀ ପୁଣି ଏକ ନୂଆ ଧମାକା କରିଛନ୍ତି । ଭାରତୀୟ ଅଣ୍ଡର-୧୯ ଟିମ ପକ୍ଷରୁ ଇଂଲଣ୍ଡ ବିପକ୍ଷ ୟୁଥ୍ ଦିନିକିଆ ସିରିଜରେ ବୈଭବ ରେକର୍ଡ ବର୍ଷା କରିଛନ୍ତି । ୫ ମ୍ୟାଚ ବିଶିଷ୍ଟ ଏହି ଦିନିକିଆ ସିରିଜରେ ବୈଭବ ୩୫୫ ରନ୍ ସଂଗ୍ରହ କରିବା ସହ ୨୯ଟି ଛକା ମାରିଛନ୍ତି । ଏହି ସିରିଜରେ ସେ ଟପ୍ ସ୍କୋରର ହୋଇଛନ୍ତି । ୫୦ ଓଭରିଆ ଫର୍ମାଟରେ ତାଙ୍କର ଷ୍ଟ୍ରାଇକ ରେଟ ୧୭୪.୦୨ ରହଛି, ଯାହାକି ତାଙ୍କର କମ୍ ବୟସର ପ୍ରତିଭାକୁ ପ୍ରମାଣିତ କରୁଛି । ଏହି ସିରିଜରେ ସେ ୩୦ଟି ଚୌକା ଓ ୨୯ଟି ଛକା ମାରିଥିଲେ ।

ବୈଭବ ଏହି ସିରିଜରେ ୟୁଥ ଓ୍ବାନଡେ’ରେ ସବୁଠାରୁ ଦ୍ରୁତ ଶତକ ନିଜ ନାମରେ କରିଛନ୍ତି । ଏହି କ୍ରମରେ ସେ ପାକିସ୍ତାନର କାସିମ ଅକରମଙ୍କ ଦ୍ବାରା ଥିବା ୬୨ ବଲରେ ଶତକ ରେକର୍ଡକୁ ଭଙ୍ଗ କରିଛନ୍ତି । ସିରିଜର ପ୍ରଥମ ମ୍ୟାଚରେ ବୈଭବ ୪୮, ଦ୍ବିତୀୟ ମ୍ୟାଚରେ ୪୫, ତୃତୀୟ ମ୍ୟାଚରେ ୮୬ ଓ ଚତୁର୍ଥ ମ୍ୟାଚରେ ୧୪୩ ରନ୍ ସଂଗ୍ରହ କରିଥିଲେ । ଅନ୍ତିମ ମ୍ୟାଚରେ ମାତ୍ର ୪୩ ରନ୍ କରି ଆଉଟ୍ ହୋଇଯାଇଥିଲେ । ଭାରତ ଏହି ସିରିଜକୁ ୩-୨ରେ କବଜା କରିନେଇଛି । ଆଗକୁ ଆସୁଥିବା ଦୁଇଟି ୟୁଥ୍ ଟେଷ୍ଟ ଉପରେ ଏବେ ବୈଭବଙ୍କ ନଜର ରହିଛି ।