ରାଜସ୍ଥାନରେ କିଏ ହେବେ ମୁଖ୍ୟମନ୍ତ୍ରୀ? ବସୁନ୍ଧରା ରାଜେଙ୍କୁ ଡକରା ହୋଇଛି ଦିଲ୍ଲୀ

ନନ୍ଦିଘୋଷ ବ୍ୟୁରୋ: ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭଳି ରାଜସ୍ଥାନରେ ମଧ୍ୟ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବ ସେନେଇ ସସପେନ୍ସ ଲାଗି ରହିଛି । ଆଉ ତା ମଧ୍ୟରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଦିଲ୍ଲୀ ଡକରା ହୋଇଛି । ସେ ଗତକାଲି ରାତିରେ ଦିଲ୍ଲୀରେ ପହଞ୍ଚିଥିବା ବେଳେ ଆଜି ସେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିବେ ବୋଲି ଜଣାପଡ଼ିଛି ।

ସୋମବାର ଓ ମଙ୍ଗଳବାର ଦଳର ନବନିର୍ବାଚିତ ପ୍ରାୟ ୬୦ ଜଣ ବିଧାୟକ ବସୁନ୍ଧରା ରାଜେଙ୍କୁ ତାଙ୍କ ସିଭିଲ ଲାଇନ୍ସ ସ୍ଥିତ ବାସଭବନରେ ଭେଟିବା ପରେ ତାଙ୍କୁ ଦିଲ୍ଲୀ ଡକରା ହୋଇଥିବା କୁହାଯାଉଛି । ରାଜସ୍ଥାନରେ କିଏ ମୁଖ୍ୟମନ୍ତ୍ରୀ ହେବେ, ସେ ନେଇ ଦଳର ସଂସଦୀୟ ବୋର୍ଡ ସ୍ଥିର କରିବ । ତାପୂର୍ବରୁ ବିଧାୟକ ଦଳ ବୈଠକ ବସିବ । ଅନ୍ୟପକ୍ଷରେ ବିଧାୟକ ଦଳ ବୈଠକ କେବେ ବସିବ, ସେ ନେଇ ବିଜେପି ପକ୍ଷରୁ କିଛି ଘୋଷଣା କରାଯାଇ ନାହିଁ ।

ବସୁନ୍ଧରା ରାଜେ ପୂର୍ବରୁ ଦୁଇ ଥର ରାଜସ୍ଥାନର ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି । ଏଥର ମଧ୍ୟ ସେ ମୁଖ୍ୟମନ୍ତ୍ରୀ ରେସ୍‌ରେ ଅଛନ୍ତି । ୨୦୦ଟି ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାର ୧୯୯ଟି ଆସନରେ ନିର୍ବାଚନ ହୋଇଥିଲା । ୧୧୫ଟିରେ ବିଜେପି ଜିତିଥିବା ବେଳେ ସରକାରରେ ଥିବା କଂଗ୍ରେସ ୬୯ଟି ଆସନ ପାଇଛି ।  ମଧ୍ୟପ୍ରଦେଶରେ ମଧ୍ୟ ଶିବରାଜ ସିଂହ ଚୌହ୍ବାନଙ୍କ ସିଏମ ପଦରୁ ମୁକ୍ତ କରାଯାଇପାରେ  । ନୂଆ ଚେହେରା ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି ।