ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଦିଲ୍ଲୀପ କୁମାର

ହିନ୍ଦୀ ସିନେ ଜଗତର ଖୁବ୍ ଜଣାଶୁଣା ଅଭିନେତା ହେଉଛନ୍ତି ଦିଲ୍ଲୀପ କୁମାର । କିନ୍ତୁ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଦେଖାଦେଇଛି ଅସୁବିଧା । ସେଥିପାଇଁ ସେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ଦିଲ୍ଲୀପ କୁମାରଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଡାକ୍ତରଖାନାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା କୁ ମନିଟର କରାଯାଉଛି । ଆଗରୁ ମଧ୍ୟ ଦିଲ୍ଲୀପ କୁମାର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପୂର୍ବ ମାସରେ ହିନ୍ଦୁଜା ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା ।

କିନ୍ତୁ ତାଙ୍କ ପତ୍ନୀ ସାୟାରା ବାନୋ କହିଥିଲେ କି ଏହା ରୁଟିନ୍ ଚେକଅପ୍ ଥିଲା । ଦିଲ୍ଲୀପ କୁମାରଙ୍କ ବୟସକୁ ଦେଖି ସମୟ ସମୟରେ ତାଙ୍କ ବିଗୁଡୁଥିବା ସ୍ୱାସ୍ଥ୍ୟବସ୍ଥା ପାଇଁ ରୁଟିନ ଚେକଅପ୍ ର ଆବଶ୍ୟକତା ପଡିଥାଏ । ଏହି ରୁଟିନ ଚେକଅପ୍ ରେ ତାଙ୍କର ରିପୋର୍ଟ ସବୁ ଠିକ୍ ଆସିବାରୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ।

ଦିଲ୍ଲୀପ କୁମାରଙ୍କୁ ୯୮ ବର୍ଷ ବୟସ ହେଲାଣି । ସେଥିପାଇଁ କରୋନା କାରଣରୁ ସେ ବିଶେଷ ସର୍ତକତା ଅବଲମ୍ବନ କରୁଛନ୍ତି । ଏମିତି ବି ସେ କରୋନା ସମୟରେ ସେ ନିଜର ଦୁଇ ଭାଇ ଅସଲମ ଖାନ୍ ଓ ଏହଶାନ ଖାନଙ୍କୁ ହରାଇଦେଇଛନ୍ତି । ୨୦୨୦ର କରୋନା ଯୁଦ୍ଧରେ ସେ ନିଜର ଦୁଈଭାଇଙ୍କର ମୃତ୍ୟୁ ଦେଖିଥିଲେ । ସେଥିପାଇଁ ନିଜ ପତ୍ନୀଙ୍କ ସହ ସେ ମାର୍ଚ୍ଚ ୨୦୨୦ରୁ କ୍ୱାରେଣ୍ଟାଇନ ନିୟମ ଅବଲମ୍ବନ କରି ଘରେ ହିଁ ରହୁଛନ୍ତି । କରୋନା କାରଣରୁ ସେ ନିଜର ଜନ୍ମଦିନ ପାଳନ କରିବାକୁ ମଧ୍ୟ ମନାକରିଦେଇଥିଲେ । ଖୁବ୍ ସର୍ତକତା ଭିତରେ ଦିଲ୍ଲୀପକୁମାର ଓ ତାଙ୍କ ପତ୍ନୀ ସାୟାରା ବାନୋ ଘରେ ରହୁଛନ୍ତି । ତଥାପି ବୟସ ଅଧିକ ହେବା କାରଣରୁ ଦିଲ୍ଲୀପକୁମାରଙ୍କ ଛାତିରେ ଯନ୍ତ୍ରଣା ଓ ନିଶ୍ୱାସ ନେବାରେ ଅସୁବିଧା ଦେଖାଯାଉଛି । ଦିଲ୍ଲୀପ କୁମାରଙ୍କ ଜନ୍ମ ୧୧ ଡିସେମ୍ବର ୧୯୨୨ରେ ପାକିସ୍ତାନରେ ହୋଇଥିଲା । ତାଙ୍କର ପ୍ରକୃତ ନାମ ୟୁସୁଫ ଖାନ୍ । କିନ୍ତୁ ହିନ୍ଦୀ ସିନେମା ଜଗତରେ ପାଦ ଥାପିଲା ପରେ ସେ ନିଜର ନାଁ ଦିଲ୍ଲୀପ କୁମାର ରଖିଦେଇଥିଲେ । ସେହି ନାଁ ରୁ ହିଁ ତାଙ୍କୁ ଢେର ଖ୍ୟାତି ଓ ସମ୍ମାନ ମିଳିଥିଲା ।

Leave a Reply