କର୍ଣ୍ଣାଟକ: ଜାମିଆ ମସଜିଦ ବାହାରେ ହିନ୍ଦୁ ସଂଗଠନଙ୍କ ଧାରଣା,ହନୁମାନ ଚାଲିଶା ଜପ ପାଇଁ ଜିଦ

ବେଙ୍ଗାଲୁରୁ: ମସଜିଦ୍ ଆଗରେ ହନୁମାନ ଚାଳିଶା ପାଠ ନେଇ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ କର୍ମକର୍ତ୍ତା ଜମା ହୋଇଛନ୍ତି ।  ସେମାନେ ମସ୍‌ଜିଦ୍ ମନ୍ଦିର କହିବା ସହ ସେଠାରେ ହନୁମାନ ଚାଳିଶା ପାଠ କରିବାକୁ ଭିଡ଼ ଜମାଇଛନ୍ତି । ଏହାକୁ ନଜରରେ ରଖି ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।

ବିବାଦୀୟ ମସ୍‌ଜିଦ୍‌ର ୧ କିଲୋମିଟର୍‌ ପରିଧି ମଧ୍ୟରେ ହନୁମାନ ଚାଳିଶା ପାଠ କରିବେ ବୋଲି ବିଶ୍ୱ ହିନ୍ଦୁ ପରିଷଦ୍‌ ଏବଂ ବଜରଙ୍ଗ ଦଳର କର୍ମକର୍ତ୍ତା କହିଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ମାଣ୍ଡୟାର ଶ୍ରୀରଙ୍ଗପାଟଣା ତାଲୁକରେ ଥିବା ଉକ୍ତ ଜାମିଆ ମସ୍‌ଜିଦ୍‌ ବାହାରେ ବାରିକେଡ୍‌ ବସାଯିବା ସହ କର୍ଣ୍ଣାଟକ ରାଜ୍ୟ ରିଜର୍ଭ ପୁଲିସର ୫ ପ୍ଲାଟୁନ୍‌ ଏବଂ ଅନ୍ୟ ନିରାପତ୍ତା ବଳ ମୁତୟନ କରାଯାଇଛି ।

ସତର୍କତା ଅବଲମ୍ବନ କରିବା ପାଇଁ କର୍ଣ୍ଣାଟକର ଗୃହମନ୍ତ୍ରୀ ଅର୍ଗ ଜ୍ଞାନେନ୍ଦ୍ର ନିର୍ଦ୍ଦେଶାବଳୀ ଜାରି କରିବା ପରେ ଜିଲ୍ଲା ପ୍ରଶାସନ ହାଇ ଆଲର୍ଟରେ ରହିଛି। ପ୍ରତିବାଦ ପ୍ରଦର୍ଶନ ଆଶଙ୍କ ଥିବାରୁ ସେ ଅଞ୍ଚଳରେ ଜୁନ୍‌ ୩ ତାରିଖ ଅପରାହ୍ଣ ୩ଟାରୁ ଜୁନ୍‌ ୫ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି।

ହିନ୍ଦୁ ସଂଗଠନର ଦାବି ଯେ, ମସଜିଦ୍ ସ୍ଥାନରେ ପୂର୍ବରୁ ହନୁମାନ ମନ୍ଦିର ରହିଥିଲା । ଯାହାକୁ ଧ୍ୱଂସ କରାଯାଇଛି ଏବଂ ତାହା ଉପରେ ମସ୍‌ଜିଦ ନିର୍ମାଣ କରାଯାଇଛି । ଏଣୁ ସେମାନେ ସେଠାରେ ହନୁମାନ ଚାଳିଶା ପାଠ ନେଇ ଅନୁମତି ମାଗିଥିଲେ କିନ୍ତୁ ଅନୁମତି ପ୍ରଦାନ ନେଇ ମନା କରିଦିଆଯାଇଛି । ଏହା ବ୍ୟତୀତ ବିରୋଧ ମୋର୍ଚ୍ଚା ବାହାର କରାଯାଇଛି ।

ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ କର୍ମକର୍ତ୍ତା ଶନିବାର ଜାମିଆ ମସଜିଦ୍ ବାହାରେ ଜୟ ଶ୍ରୀରାମ ନାରା ଲଗାଇଛନ୍ତି । ଘଟଣାସ୍ଥଳରେ ବିଶ୍ୱ ହିନ୍ଦୁ ପରିଷଦ ସଦସ୍ୟ ରାଘବେନ୍ଦ୍ର କହିଛନ୍ତି ଯେ, ଆମେ ଆମ ସାମ୍ୱିଧାନିକ ଅଧିକାର ନେଇ ଲଢ଼େଇ ଜାରି ରଖିବୁ । ଆମେ ସରକାରଙ୍କ ନିକଟରେ ଏଠାରେ ପୁନଃ ମନ୍ଦିର ନିର୍ମାଣ ନେଇ ଦାବି କରୁଛୁ ।

ଏଥିସହିତ ପଢ଼ନ୍ତୁ: ହିନ୍ଦୁ ଟାର୍ଗେଟ୍ କିଲିଂ: କାଶ୍ମୀରର ସବୁ ହିନ୍ଦୁ ଶିକ୍ଷକଙ୍କ ସାମୁହିକ ବଦଳି