ଚଳଚଞ୍ଚଳ ବିରଳ ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡ଼ିଶାଳ : ଅଣ୍ଡାଦେବା ପାଇଁ ବାଲିପଠାରେ ଜମିବ ଅଲିଭ ରିଡ଼ଲେଙ୍କ ଭିଡ

ନନ୍ଦିଘୋଷ ବ୍ୟୁରୋ : ବିରଳ ଅଲିଭ ରିଡଲେ କଇଁଛଙ୍କ ଆଗମନରେ ଚଳଚଞ୍ଚଳ ଗହୀରମଥା। ଅଣ୍ଡାଦେବା ପାଇଁ ବାଲିପଠାରେ ଜମିବ ଅଲିଭ ରିଡ଼ଲେଙ୍କ ଭିଡ । ଗହୀରମଥା ବାଲୁକା ଶଯ୍ୟାରେ ସମୂହ ଅଣ୍ଡାଦାନ କରି ଫେରିଯିବେ ଅଲିଭ ରିଡ଼ଲେ । ଏହି ସମୟରେ ଗହୀରମଥା ପ୍ରଚୁର ପରିମାଣରେ ମାଛ ମିଳୁଥିବାରୁ ଟ୍ରଲର ଗୁଡିକ ଅବାଧରେ ଗହୀରମଥା ନିଷିଦ୍ଧାଞ୍ଚଳରେ ପ୍ରବେଶ କରନ୍ତି ।

ଚଳଚଞ୍ଚଳ ବିରଳ ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡିଶାଳ । ଓଡ଼ିଶାର ଏକମାତ୍ର  ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା । ଯାହାକୁ ଅଣ୍ଡାଦାନର ସୁରକ୍ଷିତ ସ୍ଥାନ ମଣିଥାନ୍ତି ଅଲିଭ ରିଡଲେ । ବଂଶ ବୃଦ୍ଧି କରିବା ପାଇଁ ପ୍ରଶାନ୍ତ ମହାସାଗରରୁ ହଜାର ହଜାର ନଟିକାଲ ମାଇଲ୍ ସମୁଦ୍ରର ନୀଳ ଜଳରାଶିକୁ ଅତିକ୍ରମ କରି ଆସିଥାନ୍ତି ଏମାନେ । ଏଥିପାଇଁ ନଭେମ୍ବର ୧ ରୁ ମେ ୩୧ ଯାଏଁ ଧାମରା ଠାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ର କୂଳଠାରୁ ୨୦ କିମି ଯାଏଁ କଟକଣା ଜାରି ହୋଇଥାଏ। ଯନ୍ତ୍ର ଚାଳିତ ଡଙ୍ଗା ଓ ମାଛ ମାରିବା ଉପରେ ସଂପୂର୍ଣ୍ଣ କଟକଣା  ଜାରି ହୋଇଥାଏ। କିନ୍ତୁ ନିୟମକୁ ଫୁ କରି ସୁରକ୍ଷା ବଳୟକୁ ଭେଦକରି ଗହୀରମଥା ନିଷିଦ୍ଧାଞ୍ଚଳରେ ପ୍ରବେଶ କରନ୍ତି ଶହ ଶହ ଟ୍ରଲର।  ମାଛ ମାରିବା ସହିତ ହଜାର ହଜାର କଇଁଛଙ୍କୁ ମୃତ୍ୟୁ ମୁଖକୁ ଠେଲି ଦିଅନ୍ତି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ୍ ।

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ  ୨୦୦୪ରେ ସୁପ୍ରିମକୋର୍ଟ ବନ ବିଭାଗ, କୋଷ୍ଟ ଗାର୍ଡ, ମେରାଇନ ପୋଲିସ ଓ ମତ୍ସ୍ୟ ବିଭାଗ ଉପରେ ସୁରକ୍ଷା ଦାୟିତ୍ବ ନ୍ୟସ୍ତ କରିଥିଲେ । ବନ ବିଭାଗକୁ ଗହୀରମଥାରେ ପାଟ୍ରୋଲିଂ ପାଇଁ ୩ଟି ହାଇ ସ୍ପିଡ ବୋଟ ଦିଆ ଯାଇଥିବା ବେଳେ ସବୁ ଅଚଳ ହୋଇ ପଡିଛି । ଏହି ସମୟରେ ଗହୀରମଥା ଉପକୂଳରେ ପ୍ରଚୁର ପରିମାଣରେ ମାଛ ମିଳୁଥିବାରୁ କଟକଣାକୁ ଖାତିର ନକରି ଟ୍ରଲର ପଶିଥାନ୍ତି । ଟ୍ରଲର ମାଡରେ ହଜାର ହଜାର କଇଁଛଙ୍କ ଜୀବନ ଯାଉଛି । ନଭେମ୍ବର ୧ ରୁ କଇଁଛମାନଙ୍କ ପ୍ରଜନନ ଆରମ୍ଭ ହେବାକୁ ଯାଉଥିବାବେଳେ କଇଁଛ ମାନଙ୍କୁ କିଭଳି  ସୁରକ୍ଷା ଦିଆଯାଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।