ପାଖେଇ ଆସୁଛି ଉପରାଷ୍ଟ୍ରପତି ନିର୍ବାଚନ ; ଆଜି ଚୂଡ଼ାନ୍ତ ହୋଇପାରେ ଏନଡିଏ ପ୍ରାର୍ଥୀଙ୍କ ନାଁ
1 min read
ନୂଆଦିଲ୍ଲୀ : ପାଖେଇ ଆସୁଛି ଉପରାଷ୍ଟ୍ରପତି ନିର୍ବାଚନ । ନା ଏନଡିଏ ନା ଇଣ୍ଡି ମେଣ୍ଟ ପକ୍ଷରୁ ପ୍ରାର୍ଥୀ ହେଲାଣି ଘୋଷଣା । ସେପଟେ ଆଜି ଚୂଡ଼ାନ୍ତ ହୋଇପାରେ ଏନଡିଏ ପ୍ରାର୍ଥୀଙ୍କ ନାଁ । ଆଜି ବସିବାକୁ ଥିବା ବିଜେପି ସଂସଦୀୟ ଦଳ ବୈଠକରେ ନାଁ ହୋଇପାରେ ଘୋଷଣା । ସଂସଦୀୟ ଦଳ ବୈଠକ ପୂର୍ବରୁ ଶୁକ୍ରବାର ବିଜେପି ସଭାପତି ଜେ.ପି. ନଡ୍ଡାଙ୍କ ବାସଭବନରେ ଏକାଠି ହୋଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଦେଶର ଦ୍ବିତୀୟ ସାମ୍ବିଧାନିକ ମୁଖ୍ୟଙ୍କ ନାମ ଚୟନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ନଡ୍ଡାଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରିଥିଲା ଏନଡିଏ । ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ କିଛି ନାଁ ଚୟନ କରାଯାଇଥିବା ସୂଚନା ମିଳିଛି ।
ସେପ୍ଟେମ୍ବର ୯ ତାରିଖରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ପ୍ରାର୍ଥୀ ବାଛିବା ପାଇଁ ଭାରତୀୟ ଜନତା ପାର୍ଟିର ସଂସଦୀୟ ବୋର୍ଡ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବ। ୭୪ବର୍ଷୀୟ ଜଗଦୀପ ଧନଖଡ଼ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ତାଙ୍କ ପଦରୁ ଇସ୍ତଫା ଦେବା ପରେ ଉପରାଷ୍ଟ୍ରପତି ନିର୍ବାଚନ ଆବଶ୍ୟକ ହୋଇଥିଲା। ବିଜେପି ସଂସଦୀୟ ବୋର୍ଡ ବୈଠକ ଆଜି ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଛି । ସମସ୍ତ ସଂସଦୀୟ ବୋର୍ଡ ସଦସ୍ୟ ଏଥିରେ ଯୋଗଦେବେ। ଭାରତର ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏର ପ୍ରାର୍ଥୀଙ୍କ ଉପରେ ଆଲୋଚନା ହୋଇପାରେ ।
ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଦଳର ଅନ୍ୟାନ୍ୟ ସଂସଦୀୟ ବୋର୍ଡ ସଦସ୍ୟମାନେ ଯୋଗଦେବାର ସମ୍ଭାବନା ରହିଛି। ଏହି ମାସର ଆରମ୍ଭରେ NDAର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ମେଣ୍ଟର ସମସ୍ତ ଶୀର୍ଷ ନେତା ଯୋଗ ଦେଇଥିଲେ। ବୈଠକ ପରେ, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜେପି ନଡ୍ଡା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ NDAର ପ୍ରାର୍ଥୀଙ୍କୁ ବାଛିବେ। ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ସମସ୍ତ NDA ନେତା ସର୍ବସମ୍ମତିକ୍ରମେ ନେଇଛନ୍ତି।
ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିହାର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ, କର୍ଣ୍ଣାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ୍, ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏବଂ ସିକିମ୍ ରାଜ୍ୟପାଳ ଓମ୍ ମାଥୁରଙ୍କ ନାମ ଶାସକ ମେଣ୍ଟ ଦ୍ୱାରା ବିଚାର କରାଯାଉଛି। ସେମାନଙ୍କ ବ୍ୟତୀତ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକାରେ ଜମ୍ମୁ-କାଶ୍ମୀର ଲେଫ୍ଟନାଣ୍ଟ ରାଜ୍ୟପାଳ ମନୋଜ ସିହ୍ନା ଏବଂ ଦିଲ୍ଲୀର ଲେଫ୍ଟନାଣ୍ଟ ରାଜ୍ୟପାଳ ଭିକେ ସକ୍ସେନା ମଧ୍ୟ ଅଛନ୍ତି। ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଏନଡିଏ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଆଦର୍ଶବାଦୀ ଶେଷାଦ୍ରି ଚାରି କିମ୍ବା ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କୁ ମଧ୍ୟ ପ୍ରାର୍ଥୀ କରିପାରେ।
ଲୋକସଭା ଏବଂ ରାଜ୍ୟସଭାର ସଦସ୍ୟମାନେ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦିଅନ୍ତି। ଦୁଇଟି ଗୃହର ସଂଖ୍ୟା ୭୮୧, ଯାହାର ଅର୍ଥ ହେଉଛି ଜଣେ ପ୍ରାର୍ଥୀଙ୍କୁ ନିର୍ବାଚନରେ ବିଜୟୀ ହେବା ପାଇଁ ୩୯୧ ଭୋଟ ଆବଶ୍ୟକ। ଲୋକସଭା ଏବଂ ରାଜ୍ୟସଭାରେ ୪୨୨ ସାଂସଦ ସହିତ, NDA ପ୍ରାର୍ଥୀ ନିର୍ବାଚନ ଜିତିବା ପ୍ରାୟ ନିଶ୍ଚିତ। ଗତ ଅଗଷ୍ଟ ୭ରେ ଉପରାଷ୍ଟ୍ରପତି ନିର୍ବାଚନ ଲାଗି ବିଜ୍ଞପ୍ତି ଜାରି ହୋଇଥିବାବେଳେ ଆସନ୍ତା ଅଗଷ୍ଟ ୨୧ ହେଉଛି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ । ଅଗଷ୍ଟ ୨୨ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ଅଗଷ୍ଟ ୨୫ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ସେପ୍ଟେମ୍ବର ୯ରେ ହେବ ଭୋଟ ।