ଜୀବନକୁ ବାଜି ଲଗାଇ କାନ୍ଧରେ ମୃତଦେହ ଧରି ଭରା ନଈ ପାର ହେଉଛନ୍ତି ଗ୍ରାମବାସୀ

ଜୀବନକୁ ବାଜି ଲଗାଇ କାନ୍ଧରେ ମୃତଦେହ ଧରି ଭରା ନଈ ପାର ହେଉଛନ୍ତି ଗ୍ରାମବାସୀ। ନଈ ପାର ହୋଇ ଶ୍ମଶାନକୁ ଯାଉଛନ୍ତି ଲୋକେ। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ବଗେଇପଦର ଗାଁର ଏ ଅଭାବନୀୟ ଦୃଶ୍ୟ। ଶ୍ମଶାନକୁ ଯିବାକୁ ଗ୍ରାମବାସୀଙ୍କ ଲାଗି ପକ୍କା ରାସ୍ତାଟିଏ ନାହିଁ। ଶବକୁ ନେଇ ମଶାଣିକୁ ଏହି ଭରା ନଈ ପାର ହୋଇ ଯିବାକୁ ପଡୁଛି। ମଶାଣିକୁ ଯିବା ପୂର୍ବରୁ ବାଟ ଉଗାରି ରହିଛି ମୁରାନ ନଦୀ। ସ୍ଥାୟୀ ପୋଲ ନ ଥିବାରୁ ଭରା ନଦୀରେ ଜୀବନକୁ ବାଜି ଲଗାଇ କୋକେଇରେ ଶବ ଧରି ଶ୍ମଶାନକୁ ଯାଉଛନ୍ତି ଲୋକେ। ବର୍ଷ ବର୍ଷ ଧରି ଏମିତି ଚାଲିଆସୁଛି। କେବଳ ଏହି ଗୋଟିଏ ଗାଁ ଲୋକ ନୁହନ୍ତି, ତଳଗଦ୍ରି ଏବଂ ପରଜାଗଦ୍ରି ଗ୍ରାମବାସୀ ମଧ୍ୟ ସମାନ ସମସ୍ୟା ଭୋଗୁଛନ୍ତି। ଗୋଟିଏ ଶ୍ମଶାନରେ ୩ ଗାଁର ଲୋକେ ଶବ ସତ୍କାର କରିଥାନ୍ତି। ଖରାଦିନେ ନଦୀରେ କମ ପାଣି ରହୁଥିବାରୁ ଅସୁବିଧା ହୁଏନି। କିନ୍ତୁ ବର୍ଷା ଦିନେ ମଶାଣିକୁ ଯିବାକୁ ବାଟ ନପାଇ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉଛନ୍ତି।ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହିତ ଗ୍ରାମବାସୀ ଯିବା ଆସିବା ପାଇଁ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି।ଏହାହେଲେ ୩ ଗ୍ରାମବାସୀଙ୍କ ଯାଆସ ଲାଗି ପକ୍କା ରାସ୍ତା ମିଳିବ ।