ଘରକୁ ଫେରିଲା ରାହୁଲ: ଗାଁରେ ଭବ୍ୟ ସ୍ବାଗତ

ଚମ୍ପା: ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଗାଁକୁ ଫେରିଲା ବୋରଓ୍ବେଲ ବୟ ରାହୁଲ । ଗାଁରେ ରାହୁଲଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । କେବଳ ନିଜ ଗାଁ ପିହିରିଦ ନୁହେଁ ବିଳାସପୁରର ଆପୋଲ ହସ୍ପିଟାଲ ୧୦୦ କିମି ଦୂରତାରେ ପ୍ରତି ସ୍ଥାନରେ ରହୁଲଙ୍କୁ ଦିଆ ଯାଇଥିଲା ସ୍ବାଗତ । ଏହି ୧୦୦ କିମି ଦୂରତା ମଧ୍ୟରେ ୩ଟି ଜିଲ୍ଲା ତରଫରୁ ତାଙ୍କୁ ସ୍ବାଗତ କରାଯାଇଛି । ରାହୁଲ ନିଜ ଗାଁ ପିହିରିଦରେ ପହଞ୍ଚିବା ପରେ ଯେମିତି ଉତ୍ସବ ଆରମ୍ଭ ହୋଇଯାଇଥିଲା ।

ଗାଁ ଲୋକଙ୍କ ପକ୍ଷରୁ ରାହୁଲଙ୍କୁ ସ୍ବାଗତ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଗାଁ ଲୋକେ ମୃଦଙ୍ଗ, ଝାଞ୍ଜ ଓ ଖଞ୍ଜଣି ବଜାଇ ରାହୁଲଙ୍କୁ ପାଛୋଟି ନେଇଥିଲେ । ଏହାସହ ରାହୁଲଙ୍କୁ ଶୋଭାଯାତ୍ରାରେ ଗାଁ ବୁଲା ଯାଇଥିଲା । ଗାଁ ଲୋକେ ରାହୁଲଙ୍କୁ ଘୋଡା ଗାଡିରେ ବୁଲାଇ ଥିଲେ । ବାଣ ଫୁଟାଇ ରାହୁଲଙ୍କୁ ସ୍ବାଗତ କରିଥିଲେ ଗ୍ରାମବାସୀ । ଏପରିକି ବିଭିନ୍ନ ସ୍ଥାନରେ ଲୋକେ ଗାଡି ଅଟକାଇ ରାହୁଲଙ୍କ ଦୀର୍ଘ ଜୀବନ କାମନା କରିବା ସହ ତାଙ୍କୁ ଉପହାର ଦେଇଥିଲେ ।

ଏହା ପୂର୍ବରୁ ରହୁଲ ମେଡିକାଲରୁ ବାହାରିବା ବେଳେ ବିଳାସପୁର ହସ୍ପିଟାଲରେ ତାକୁ ଚିକିତ୍ସା କରୁଥିବା ଡାକ୍ତର ଓ ମେଡିକାଲ କର୍ମଚାରୀ ଗେଟ୍ ପର୍ଯ୍ୟନ୍ତ ବିଦାୟ ଦେବାକୁ ଆସିଥିବା ଦେଖିବାକୁ ମିଳିଥିଲା ।

ଦେଶର ସବୁଠାରୁ ବଡ଼ ଉଦ୍ଧାର ‘ଅପରେସନ ଜିନ୍ଦେଗୀ’

ସୂଚନାଯୋଗ୍ୟ, ଚମ୍ପା ପିହିରିଦ ଗାଁର ରାହୁଲ ପ୍ରାୟ ୮୦ ଗଭୀର ବୋରଓ୍ବେଲରେ ପଡି ଯାଇଥିଲେ । ଖବର ଜଣାପଡିବା ପରେ ସ୍ଥାନୀୟ ପ୍ରଶାସନ ତାକୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ କରିଥିଲା । ଏହାପରେ ଓଡ଼ିଶାରୁ ଯାଇଥିବା ଏନଡିଆରଏଫ ଟିମ୍, ଏଫଡିଆରଏଫ ଓ ଭାରତୀୟ ସେନା ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଯାହାର ନାଁ ଦିଆଯାଇଥିଲା ‘ଅପରେସନ ଜିନ୍ଦେଗୀ’ । ଏହାପରେ ଆରମ୍ଭ ହୋଇଥିଲା ଦେଶର ସବୁଠାରୁ ବଡ଼ ଉଦ୍ଧାର କାର୍ଯ୍ୟ । ଦୀର୍ଘ ୫ ଦିନର କସରତ ପରେ ରାହୁଲଙ୍କୁ ବୋରଓ୍ବେଲରୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ।

ପଥର ସାଜିଥିଲା ବାଧକ

ତେବେ ରାହୁଲଙ୍କୁ ଉଦ୍ଧାର କରିବା ଏତେ ସହଜ ନଥିଲା । ପ୍ରାୟ ୬୫ ଫୁଟର ଗାତ ଖୋଳାଯିବା ପରେ ଆରମ୍ଭ ହୋଇଥିଲା ସୁଡଙ୍ଗ କାମ । ରାହୁଲ ଓ ଉଦ୍ଧାରକାରୀ ଟିମଙ୍କ ପଥରୋଧ କରିଥିଲା ଏକ ବିରାଟ ପଥର । ରାହୁଲ ପଥର ସେପଟେ ବୋରଓ୍ବେଲରେ ଫସିଥିବା ବେଳେ ଏହାକୁ ପାର କରିବାକୁ ନାକେଦମ ହୋଇ ଯାଇଥିଲେ ଉଦ୍ଧାରକାରୀ ଟିମ୍ । ପ୍ରଥମେ ମେସିନ ସାହାଯ୍ୟରେ ଆରମ୍ଭ ହୋଇଥିଲା ପଥର କଟା । ରାହୁଲଠାରୁ ୪ ଫୁଟ୍ ଦୂରରେ ପହଞ୍ଚିବା ପରେ ମେସିନରେ ପଥର କଟା ବନ୍ଦ କରାଯାଇଥିଲା । କାରଣ ମେସିନ ବ୍ୟବହାର ରାହୁଲଙ୍କ ପ୍ରତି ବିପଦ ଆଣିବା ଆଶଙ୍କା ଥିଲା । ଏହାପରେ ହାତରେ ପଥର କଟା କାମ ଆରମ୍ଭ ହୋଇଥିଲା । ୪ ଫୁଟର ପଥରକୁ ଅତି ସତର୍କତାର ସହ କଟା ଯାଇଥିଲା । ଏଥିପାଇଁ ପ୍ରାୟ ୨ ଦିନ ସମୟ ଲାଗି ଯାଇଥିଲା । ଶେଷରେ ସୁରକ୍ଷିତ ଭାବେ ରାହୁଲଙ୍କୁ ବୋରଓ୍ବେଲରୁ ବାହାରକୁ ଆଣିବାକୁ ଉଦ୍ଧାରକାରୀ ଟିମ୍ ସକ୍ଷମ ହୋଇଥିଲେ ।

କ୍ୟାମେରା ରଖିଥିଲା ନଜର

ରାହୁଲ ବୋରଓ୍ବେଲରେ ଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ଡାକ୍ତରୀଟିମ ତା’ ଉପରେ ପୂରା ନଜର ରଖିଥିଲେ । କ୍ୟାମେରା ସାହାଯ୍ୟରେ ରାହୁଲର ପ୍ରତିଟି ଗତିବିଧିକୁ ରେକର୍ଡ କରାଯାଉଥିଲା । ଏପରିକି ତା ପାଖକୁ କଦଳୀ ଓ ଜୁସ ଖାଇବାକୁ ପଠାଯାଉଥିଲା ।