୧୮ ଦିନ ପରେ ପୁଣି ମଣିପୁର ରାଜଧାନୀ ଇମ୍ଫାଲରେ ହିଂସା, ଅନେକ ଘର ପୋଡ଼ିଦେଲେ ଉପଦ୍ରବୀ

ନୂଆଦିଲ୍ଲୀ: ମଣିପୁର ରାଜଧାନୀ ଇମ୍ଫାଲରେ ପୁଣିଥରେ ହିଂସାକାଣ୍ଡ ଦେଖାଯାଇଛି । ୧୮ ଦିନର ଶାନ୍ତି ପରେ ପୁଣି ଜଳିଉଠିଛି ରାଜଧାନୀ ଇମ୍ଫାଲ । ଉପଦ୍ରବୀମାନେ ଅନେକ ଘର ପୋଡ଼ି ଦେଇଛନ୍ତି । ସ୍ଥିତିକୁ ଦେଖି ସହରରେ ପୁଣିଥରେ କର୍ଫ୍ୟୁ ଲଗାଯାଇଛି ଏବଂ ସେନାକୁ ପ୍ରତ୍ୟାବର୍ତ୍ତନ କରାଯାଇଛି । ହିଂସା ପ୍ରଭାବିତ ସହରରେ ଅନେକ ଦିନର ଶାନ୍ତି ପରେ ସୋମବାର ଅପରାହ୍ନରେ ପୁଣିଥରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ସୂଚନା ମୁତାବକ, ରାଜଧାନୀ ଇମ୍ଫାନଲର ନ୍ୟୁ ଚେକାନ ଅଞ୍ଚଳରେ ମେଇତିଇ ଏବଂ କୁକୀ ସମ୍ପ୍ରଦାୟ ମଧ୍ୟରେ ସୋମବାର ଅପରାହ୍ନରେ ଗଣ୍ଡଗୋଳ ହୋଇଛି ।

ସ୍ଥାନୀୟ ବଜାରରେ ଏକ ସ୍ଥାନକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷ ଦେଖୁଦେଖୁ ଭୀଷଣ ରୂପ ନେଇଥିଲା । ଅଞ୍ଚଳରେ ପୋଡ଼ାଜଳା ହୋଇଛି । ସ୍ଥିତିକୁ ଦେଖି ପ୍ରଶାସନ ରାଜଧାନୀରେ କର୍ଫ୍ୟୁ ଲଗାଇ ଦେଇଛି । ପ୍ରକାଶଥାଉକି, ମଣିପୁରରେ ଏକ ମାସରୁ ଅଧିକ ସମୟ ହେବ ସାମ୍ପ୍ରଦାୟିକ ସଂଘର୍ଷ ଦେଖାଯାଇଛି । ଚଳିତ ମାସ ଆରମ୍ଭରେ ରାଜ୍ୟରେ ସେବେ ସଂଘର୍ଷ ଆରମ୍ଭ ହୋଇଥିଲା ଯେବେ ଆଦିବାସୀମାନେ ଅନୁସୂଚିତ ଜନଜାତିର ମାନ୍ୟତା ଦେବାର ଦାବି ବିରୋଧରେ ୩ ମଇରେ ପଦଯାତ୍ରା କରିଥିଲେ । ଏକ ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ଏହି ହିଂସାରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଥିଲା ।

ହିଂସା ପ୍ରଭାବିତ ଅଞ୍ଚଳରେ ଉପଦ୍ରବୀମାନେ କୋଟି  କୋଟି ଟଙ୍କାର ସରକାରୀ ସମ୍ପତ୍ତିକୁ ଜାଳି ଦେଇଥିଲେ । ହିଂସା କାରଣରୁ ହଜାର ହଜାର ଲୋକେ ନିଜ ଘର ଛାଡ଼ି ଅନ୍ୟତ୍ର ଯିବାକୁ ବାଧ୍ୟ ହୋଇଥିଲେ । ସ୍ଥିତି ନିୟନ୍ତ୍ରଣ ପାଇଁ ପାରାମିଲିଟାରୀ ଫୋର୍ସର ପ୍ରାୟ ୧୦ ହଜାରରୁ ଅଧିକ କର୍ମଚାରୀଙ୍କୁ ମୁତୟନ କରିବାକୁ ପଡ଼ିଥିଲା । ପ୍ରାୟ ସପ୍ତାହେ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ହେଲେ ଆଜି ପୁଣି ହିଂସା ସୃଷ୍ଟି ହୋଇଛି ।

ପ୍ରକାଶ ଥାଉକି, ମଣିପୁରରେ ମେଇତିଇ ସମ୍ପ୍ରଦାୟର ପ୍ରାୟ ୫୩ ପ୍ରତିଶତ ଜନସଂଖ୍ୟା ରହିଛି ଏବଂ ଏମାନେ ଅଧିକାଂଶ ଇମ୍ଫାଲ ଘାଟିରେ ରହିଥାନ୍ତି । ଜନଜାତୀୟ ସମ୍ପ୍ରଦାୟ ନାଗା ଏବଂ କୁକୀ ସମେତ ଅନ୍ୟ ଜନସଂଖ୍ୟା ପ୍ରାୟ ୪୦ ପ୍ରତିଶତ ରହିଛନ୍ତି ଏବଂ ସେମାନେ ପାହାଡିଆ ଅଞ୍ଚଳରେ ବସବାସ କରନ୍ତି । ମେଇତିଇ ସମ୍ପ୍ରଦାୟର ଲୋକମାନେ ହିନ୍ଦୁ ଜାତିର ହୋଇଥିବା ବେଳେ ନାଗା ଓ କୁକୀ ଖ୍ରୀଷ୍ଟିୟାନ ଜାତିର । ମେଇତିଇଙ୍କୁ ଏସଟି କ୍ୟାଟେଗୋରୀରେ ଅନ୍ତର୍ଭୁକ୍ତକୁ ବିରୋଧ କରୁଛନ୍ତି ନାଗା ଓ କୁକୀ । ଯାହାଫଳରେ ଗତ ୩ ତାରିଖରେ ଏହି ହିଂସା ଆରମ୍ଭ ହୋଇଥିଲା ।