ରୋହିତ-କୋହଲିଙ୍କ ଦିନିକିଆ କ୍ୟାରିୟର ସମାପ୍ତ ? ୨୦୨୭ ବିଶ୍ବକପ୍ ଖେଳିବା ମୁସ୍କିଲ୍
1 min read
ବିରାଟ କୋହଲି (୩୬) ଓ ରୋହିତ ଶର୍ମା (୩୮) ଉଭୟେ ଟି-୨୦ ଓ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି । ଏବେ ସେମାନେ କେବଳ ଦିନିକିଆ ଓ ଆଇପିଏଲ ଖେଳିବେ । ଏହି ଦୁଇ ବରିଷ୍ଠ ଖେଳାଳି ସମ୍ଭବତଃ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରଜ ଓ ତା’ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବେ । ଏହାପରେ ଦୁହେଁ ଆସନ୍ତା ବର୍ଷ ଜାନୁଆରୀ-ଜୁଲାଇ ମଧ୍ୟରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ବିପକ୍ଷରେ ୬ଟି ଦିନିକିଆ ଖେଳିବାର ସୁଯୋଗ ପାଇବେ ।
ତେବେ ଏହି ସିରିଜ ସେମାନଙ୍କୁ ୨୦୨୭ ଦିନିକିଆ ବିଶ୍ବକପ୍ ପାଇଁ ପ୍ରସ୍ତୁତ କରିବ କି? ଏହି ଦୁଇ ଖେଳାଳି କ’ଣ କେବଳ ଗୋଟିଏ ଫର୍ମାଟ ଓ ଆଇପିଏଲ ଭରସାରେ ୨ ବର୍ଷ ପର୍ଯ୍ୟନ୍ତ ଖେଳ ଜାରି ରଖିବେ? ବିସିସିଆଇ ସୂତ୍ର ମୁତାବକ, ଏନେଇ ଖୁବଶୀଘ୍ର ଆଲୋଚନା ହେବ । ଆଗାମୀ ବିଶ୍ବକପ ବେଳକୁ ରୋ-କୋ ପାଖାପାଖି ୪୦ ବର୍ଷରେ ଉପନୀତ ହୋଇଯିବେ । ତେଣୁ ଏଥିପାଇଁ ସ୍ପଷ୍ଟ ରଣନୀତି ହେବ ଓ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯିବ । ତେବେ ଏହି ଦୁଇ ଖେଳାଳି ନିଜେ ଦିନିକିଆରୁ ସନ୍ନ୍ୟାସ ନେବେ ନା ବୋର୍ଡ ସେମାନଙ୍କୁ ଧୀରେଧୀରେ ବାହାର କରିବ? ଭାରତୀୟ କ୍ରିକେଟ ପାଇଁ ଏହି ଦୁହିଁଙ୍କର ଅବଦାନ ବହୁତ ରହିଛି । ତେଣୁ ସନ୍ନ୍ୟାସ ପାଇଁ ସେମାନଙ୍କ ଉପରେ ଚାପ ଦିଆଯିବ ନାହିଁ । ସେମାନେ ନିଜର ଭବିଷ୍ୟତକୁ ନେଇ ଶାରୀରିକ –ମାନସିକ ଭାବେ କେତେ ପ୍ରସ୍ତୁତ, ଏ ବାବଦରେ ସେମାନଙ୍କ ସହ ଆଲୋଚନା କରାଯିବ ।