ଅଷ୍ଟ୍ରେଲିଆରେ ଚମକିଲା ବିରାଟଙ୍କ ବ୍ୟାଟ୍, ୪୯୧ ଦିନ ପରେ ଟେଷ୍ଟ କ୍ରିକେଟରେ ଅର୍ଜନ କଲେ ଶତକ

ନନ୍ଦିଘୋଷ ବ୍ୟୁରୋ: ପର୍ଥରେ ଚାଲିଲା ବିରାଟଙ୍କ ବ୍ୟାଟ୍ । ଶତକୀୟ ପାଳି ଖେଳିଲେ କିଙ୍ଗ କୋହଲି । ଶେଷରେ ୪୯୧ ଦିନ ପରେ ଟେଷ୍ଟ କ୍ରିକେଟରେ ଶତକ ଅର୍ଜନ କରିଛନ୍ତି କୋହଲି । ଏହା ତାଙ୍କର ୩୦ତମ ଟେଷ୍ଟ ଶତକ ଅଟେ । ତୃତୀୟ ଦିନରେ ଦେବିଦତ୍ତ ପାଡିକଲ ଆଉଟ୍ ହେବା ପରେ କ୍ରିଜରେ ତିଷ୍ଟି ରହିଥିଲେ କୋହଲି । ଧର୍ଯ୍ୟର ସହ ଖେଳିବା ସହ ସେ ଶତକୀୟ ପାଳି ଖେଳିବାରେ ସକ୍ଷମ ହୋଇଥିଲେ । ପେସ ବୋଲରଙ୍କ ଘାତକ ବୋଲିଂକୁ ବେଶ ଚକମା ଦେଇଥିଲେ । ସେପଟେ ଏହି ଶତକ ସହ ଅଷ୍ଟ୍ରେଲିଆରେ ନୂଆ ଇତିହାସ ରଚିଛନ୍ତି ବିରାଟ । ସେ ସଚିନ ତେନ୍ଦୁଲକରଙ୍କ ଏକ ରେକର୍ଡକୁ ଭାଙ୍ଗିଛନ୍ତି ।  ବର୍ଡର ଗାଭାସ୍କର ଟ୍ରଫିରେ ୯ ଶତକ ହାସଲ କରିବାର ରେକର୍ଡ ସଚିନଙ୍କ ନାମରେ ଥିଲା । ଏବେ ବିରାଟ କମ ପାଳିରେ ଏହି ରେକର୍ଡକୁ ଅତିକ୍ରମ କରିଛନ୍ତି । ଏହାସହ ସେ ଅଷ୍ଟ୍ରେଲିଆରେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ ମଧ୍ୟ କରିଛନ୍ତି ।

କହି ରଖୁଛୁ କି, ବିରାଟ କୋହଲିଙ୍କ ବ୍ୟାଟ କିଛି ମ୍ୟାଚରେ ଶିତଳ ରହିଥିଲା । ନିକଟରେ ଭାରତରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ତାଙ୍କ ବ୍ୟାଟ ଚାଲିନଥିଲା । ଭାରତ ଏହି ସିରିଜ ହାରିବା ସହ ବିରାଟ ମଧ୍ୟ ଫେଲ ମାରିଥିଲେ । ଏବେ ସମସ୍ତଙ୍କ ନଜର ବିରାଟଙ୍କ ପ୍ରଦର୍ଶନ ଉପରେ ରହିଥିଲା । କାରଣ ସେ କିଭଳି ପ୍ରଦର୍ଶନ କରିବେ କାରଣ ଏହି ମ୍ୟାଚରେ ଅଧିନାୟକ ରୋହିତ ଖେଳନଥିଲେ । କିନ୍ତୁ ବିରାଟ ରୋହିତଙ୍କ ଅନୁପସ୍ଥିତିରେ ଏକ ବଡ଼ ରେକର୍ଡ ପାଳି ଖେଳିବାରେ ସକ୍ଷମ ହୋଇଛନ୍ତି ।