କାହିଁକି ହେଲା ଗ୍ୟାସ୍‌ ଲିକ୍‌, ଆସିଲା ପ୍ରାଥମିକ ରିପୋର୍ଟ…

ବିଶାଖାପାଟନମ୍: ବିଶାଖାପାଟନମ୍ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୦ କୁ ବୃଦ୍ଧି ପାଇଛି । ପ୍ରାରମ୍ଭିକ ଅନୁସନ୍ଧାନ ରିପୋର୍ଟରୁ ଜଣାପଡିଛି ଯେ, ଗ୍ୟାସ୍‌ ଭଲଭରେ ସମସ୍ୟା ହେତୁ ଏହି ଦୁର୍ଘଟଣା ଘଟିଛି । ଗୁରୁବାର ଭୋର ସାଢ଼େ ଦୁଇଟା ସମୟରେ ଗ୍ୟାସ୍ ଭଲଭ୍ ଖରାପ ହୋଇ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଥିଲା । ଏନେଇ ଅଧିକାରୀଙ୍କ ଏକ ସ୍ୱତନ୍ତ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ଏହି ଘଟଣାର ଅନୁସନ୍ଧାନ କରୁଥିବା ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଗ୍ୟାସ୍ ପାଇଁ ଉଦ୍ଧିଷ୍ଟ ଭଲଭ୍‌ର ସଠିକ୍‌ ପରିଚାଳନା କରାଯାଇନଥିବାରୁ ଏଭଳି ପରିସ୍ଥିତି ଉପୁଜିଛି । ଅନ୍ୟପଟେ ସାଇରନ୍‌ ମଧ୍ୟ ବାଜି ନଥିଲା । ଯାହାଦ୍ୱାରା ଲୋକ ସତର୍କ ହୋଇନଥିଲେ । ତେଣୁ କାରଖାନା ପାଖାପାଖି ଅଞ୍ଚଳରେ ଥିବା ଅଧିକାଂଶ ଲୋକ ଏହି ବିଷାକ୍ତ ଗ୍ୟାସ୍‌ କବଳରେ ଆସିଥିଲେ ଏବଂ ଅସୁସ୍ଥ ହୋଇଥିଲେ ।

ବିଶାଖାପାଟନମରେ ଥିବା ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ହେବା ପରେ ଏହାର ପ୍ରଥମ ପ୍ରତିକ୍ରିୟାରେ ଏଲଜି କେମ୍‌ କହିଛନ୍ତି ଯେ ବର୍ତ୍ତମାନ ଗ୍ୟାସ୍‌ ଲିକ୍ ପରିସ୍ଥିତି ନିୟନ୍ତ୍ରଣରେ ରହିଛି । ପୀଡିତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବାର ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି । କମ୍ପାନୀ ପକ୍ଷରୁ ଘଟଣାର ଅନୁସନ୍ଧାନ ଜାରି ରହିଛି ।

ସବୁଠାରୁ ବଡ଼ କଥା ହେଉଛି, ବିଶାଖାପାଟନମ୍‌ର ଏହି କାରଖାନାରୁ ଗ୍ୟାସ୍ ଲିକ୍ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଗ୍ୟାସ୍‌ ପ୍ରଭାବରେ ଶ୍ୱାସରୁଦ୍ଧ ହୋଇ ଲୋକମାନେ ରାସ୍ତାରେ ଚେତାଶୂନ୍ୟ ହୋଇ ପଡ଼ିବା ଦେଖାଯାଇଥିଲା । ଏବେ ସଦ୍ଧା ଗ୍ୟାସ୍ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୩୧୬ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

Leave a Reply