ବାହାରି ଶକ୍ତି ଭାରତ-ଋଷ ସମ୍ପର୍କରେ ବିଗାଡ଼ି ପାରିବେନି: ପୁଟିନ୍, ମୋଦିଙ୍କ ଭାରତ ଆସିବା ନିମନ୍ତ୍ରଣ ରଖିଲେ

ନନ୍ଦିଘୋଷ ବ୍ୟୁରୋ: ଭାରତ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣକୁ ସ୍ବୀକାର କରିଛନ୍ତି ପୁଟିନ । ଏହାସହ ଭାରତ ସହ ଋଷର ସମ୍ପର୍କକୁ କୌଣସି ବାହାର ଶକ୍ତି ବିଗାଡ଼ି ପାରିବନି ବୋଲି କହିଛନ୍ତି । ରିପୋର୍ଟ ଅନୁସାରେ, ପୁଟିନ୍ ମୋଦିଙ୍କ ସହ ଫୋନରେ କଥା ହୋଇଛନ୍ତି । ଏହି ଅବସରରେ ସେ ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଉପରେ ଚର୍ଚ୍ଚା କରିଛନ୍ତି । ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତକୁ ଋଷ ସମ୍ପୂର୍ଣ୍ଣ ସମର୍ଥନ ଦେବ ବୋଲି ପୁଟିନ୍ କହିଛନ୍ତି । ଆଲୋଚନା ବେଳେ ଉଭୟ ରାଷ୍ଟ୍ରନେତା ବାହାରି ଶକ୍ତି ଯେମିତି ଆମ ସମ୍ପର୍କକୁ ଖରାପ କରି ନପାରିବେ ତାହା ଉପରେ ଗୁରୁତ୍ବ ଦେଇଥିଲେ ।
ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ରଣଧିର ଜୟଶଓ୍ବାଲ କହିଛନ୍ତି, ‘ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରି ପହଲଗାଓଁ ଆକ୍ରମଣକୁ ନିନ୍ଦା କରିଛନ୍ତି । ମୃତ ବ୍ୟକ୍ତିଙ୍କୁ ପ୍ରତି ସମବେଦନା ଜଣାଇବା ସହ ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତକୁ ସମ୍ପୂର୍ଣ୍ଣ ସମର୍ଥନ ଦେବାକୁ କହିଛନ୍ତି । ନରସଂହାରରେ ସମ୍ପୃକ୍ତ ଆତଙ୍କବାଦୀ ଓ ସେମାନଙ୍କ ସହଯୋଗୀଙ୍କ ବିରୋଧରେ ନ୍ୟାୟିକ ବ୍ୟବସ୍ଥାରେ ଦଣ୍ଡ ମିଳିବ । ଉଭୟ ନେତା ସ୍ବତନ୍ତ୍ର ଓ ସ୍ବତନ୍ତ୍ର ଅଧିକାର ପ୍ରାପ୍ତ ଭାଗିଦାରୀକୁ ଅଧିକ ଦୃଢ଼ କରିବାକୁ ସହମତି ଜଣାଇଛନ୍ତି ।’
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ପୁଟିନଙ୍କୁ ବିଜୟ ଦିବସ ପାଇଁ ଶୁଭକାମନା ଜଣାଇଥିଲେ । ଏହାସହ ଚଳିତବର୍ଷ ଶେଷ ଆଡ଼କୁ ଭାରତରେ ଆୟୋଜିତ ହେବାକୁ ଥିବା ବାର୍ଷିକ ସମ୍ମିଳନୀରେ ସାମିଲ ହେବାକୁ ଆମନ୍ତ୍ରଣ କରିଥିଲେ । ଯାହାକୁ ପୁଟିନ ସ୍ବୀକାର କରିଛନ୍ତି ।