ରାତି ପାହିଲେ ୬ ଲୋକସଭା, ୪୨ ବିଧାନସଭା ଆସନରେ ଭୋଟିଂ; ନିୟୋଜିତ ହେବେ ୩୫ ହଜାର ପୋଲିସ୍

1 min read

ଭୁବନେଶ୍ବର: ରାତି ପାହିଲେ ଦେଶରେ ଷଷ୍ଠ ଓ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ୬ ଲୋକସଭା ଓ ଏହାର ଅଧୀନରେ ଥିବା ୪୨ ବିଧାନସଭା ଆସନରେ ହେବ ଭୋଟିଂ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାିଛି । ଏହି ପର୍ଯ୍ୟାୟରେ ନିୟୋଜିତ ହେବେ ୩୫ ହଜାର ପୋଲିସ୍ ।

ଏହି ପର୍ଯ୍ୟାୟରେ ୧୨ଟି ପୋଲିସ ଜିଲ୍ଲାରେ ଥିବା ୧୦ ହଜାର ୫୫୧ଟି ବୁଥରେ ଭୋଟ ଗ୍ରହଣ କରାଯିବ । ୨୦ ପ୍ରତିଶତ ବୁଥ ସମ୍ବେଦନଶୀଳ ରହିଛି । ଏଥିପାଇଁ ନିୟୋଜିତ ହେବେ ୩୫ ହଜାର ଫୋର୍ସ । ୧୨ଟି ଜିଲ୍ଲାରେ ୧୨୧ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ , ୧୦୬ ପ୍ଲାଟୁନ ଓଡିଶା ଆର୍ମଡ଼ ପୋଲିସ ମୁତୟନ ହେବେ । ସମ୍ବଲପୁର, କେଉଁଝର, ଖୋର୍ଦ୍ଧା, କଟକ ପାଇଁ ୪ ଜଣ ଆଇପିଏସ ଦାୟିତ୍ୱରେ ରହିବେ । ବୁଥ ତଦାରଖ ପାଇଁ ୭୬୩ଟି ମୋବାଇଲ ପାଟ୍ରୋଲିଂ ପାର୍ଟି କାମ କରୁଛି । ଜିପିଏସ୍ ଜରିଆରେ କଣ୍ଟ୍ରୋଲ ରୁମକୁ କରାଯିବ ମନିଟର । ସମ୍ବେଦନଶୀଳ ସ୍ଥାନରେ କୁଇକ ଆକ୍ସନ ଟିମ୍ କାମ କରିବ । ୧୨ଟି ଜିଲ୍ଲା ସୀମାରେ ଥିବା ୧୭ଟି ବର୍ଡର ଚେକପୋଷ୍ଟରେ କଡାକଡି ଚେକିଂ ଚାଲିଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ୩୩୧ଟି ଫ୍ଲାଇଙ୍ଗ ସ୍କ୍ବାଡ୍ ତଦାରଖ କରୁଛନ୍ତି । ଏହା ବ୍ୟତୀତ ୩୪୩ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ ପରିଭ୍ରମଣ କରୁଛି । ଏହି ୧୨ଟି ଜିଲ୍ଲାରେ ୨୫ଟି ଇଭିଏମ ଷ୍ଟ୍ରଙ୍ଗ ରୁମ ରହିଛି ।

ଆଚରଣବିଧି ଉଲ୍ଲଂଘନ ନେଇ ୧୭ଟି କେସ୍ ହୋଇଥିବା ବେଳେ ସମୁଦାୟ ୭୮ଟି କେସ ରୁଜୁ ହୋଇଛି । ୮୯ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜାନୁଆରୀ ପ୍ରଥମ ସପ୍ତାହରୁ ଆଜି ଭିତରେ ୩୪ ହଜାର ୪୦୩ ୱାରେଣ୍ଟ ଇସ୍ୟୁ ହୋଇଛି । ୪ ହଜାର ପଳାତକଙ୍କ ବିରୋଧରେ ଲଟକା ଲାଗିଛି । ଦଫା ୧୦୭, ୧୦୯, ୧୧୦ ଜରିଆରେ ଅଭିଯୁକ୍ତଙ୍କୁ ଦମନ କରାଯାଇଛି । ମୋଟ ୫୦ ହଜାରରୁ ଊର୍ଦ୍ଧ୍ବ ପ୍ରୋସିଡିଂ ଜାରି ହୋଇଛି । ଭୁବନେଶ୍ୱର କଟକରେ ୩ ଜଣଙ୍କୁ ତଡ଼ିପାର ଘୋଷଣା କରାଯାଇଛି । ୧୧ ଜଣଙ୍କୁ NSAରେ ବୁକ୍ କରାଯାଇଛି । ୨୫୪ ଜଣଙ୍କଠାରୁ ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ୩ଟି ବନ୍ଧୁକ ତିଆରି ସ୍ଥାନ ଠାବ କରାଯାଇ ୧୪ ଜଣଙ୍କୁ ଗିରଫ କରାଯାଇଛି । ୬ ଲକ୍ଷ ୭୮ ହଜାର ଲିଟର ମଦ ଜବତ ସହ ୨୫ ହଜାରରୁ ଅଧିକ NDPS କେସ ହୋଇଛି । ୮ କୁଇଣ୍ଟାଲ ଗଞ୍ଜେଇ ଜବତ କରି ୯୪୧ ଲୋକଙ୍କୁ ଗିରଫ କରାଯାଇଛି । ୫ କେଜି ବ୍ରାଉନସୁଗର ମଧ୍ୟ ଜବତ କରାଯାଇଛି । ଜବତ ନିଶା ସାମଗ୍ରୀର ଆନୁମାନିକ ମୂଲ୍ୟ ୮୯ କୋଟି ହେବ । SST ପକ୍ଷରୁ ଚଢ଼ାଉ କରାଯାଇ ଗାଡି ଭିତରୁ ୬ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜବତ କରାଯାଇଛି ।

ସୋସିଆଲ ମିଡିଆ ମନିଟରିଂ ସେଲ୍ ଗଠନ କରାଯାଇ ଆପତ୍ତିଜନକ ପୋଷ୍ଟ ହଟାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ କେସ ରୁଜୁ ହୋଇଛି । ଅବାଧ, ମୁକ୍ତ, ନିରପେକ୍ଷ ନିର୍ବାଚନ ପାଇଁ ଓଡିଶା ପୋଲିସ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ପୋଲିସ ଡିଜିପି ।