ରାଜ୍ୟ ନିର୍ବାଚନ କମିଶନଙ୍କ ପଞ୍ଚାୟତ ପ୍ରସ୍ତୁତି, ୭ ଗ୍ରାମ ପଞ୍ଚାୟତରେ ହେବନି ନିର୍ବାଚନ

ଭୁବନେଶ୍ୱର: ଏଥର ୬ ହଜାର ୭୯୪ ଗ୍ରାମ ପଞ୍ଚାୟତରେ ହେବ ନିର୍ବାଚନ। ୨୦୧୭ରେ ୬ ହଜାର ୮୦୧ ପଞ୍ଚାୟତରେ ନିର୍ବାଚନ ହୋଇଥିଲା। ଏଥର ୭ଟି ପଞ୍ଚାୟତ ଏନଏସସିରେ ମିଶିଛି । ତେଣୁ ସେଠାରେ ପଞ୍ଚାୟତ ନିର୍ବାଚନ ହେବନାହିଁ। ବାଲେଶ୍ଵର ଜିଲ୍ଲା ରେମୁଣା ଏନଏସିର ୪ଟି ପଞ୍ଚାୟତ, ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସିରେ ୨ଟି ଏବଂ ବରଗଡ଼ ବିଜେପୁର ଏନ୍‌ଏସିରେ ଗୋଟିଏ ପଞ୍ଚାୟତ ସାମିଲ ହୋଇଛି। ସେହିପରି ୧୧୧ଟି ଓ୍ୱାର୍ଡରେ ନିର୍ବାଚନ ହେବନାହିଁ। ମୋଟ୍‌ ୯୧ ହଜାର ୯୧୬ ଓ୍ୱାର୍ଡରେ ନିର୍ବାଚନ ହେବ।

୨୦୧୭ରେ ୯୨ହଜାର ୨୭ଟି ଓ୍ୱାର୍ଡରେ ନିର୍ବାଚନ ହୋଇଥିଲା। ଏଥର ୯୧ହଜାର ୯୧୬ ୱାର୍ଡ ମଧ୍ୟରୁ ୪୯ ହଜାର ୪୬୯ଟି ୱାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି ୧୨ହଜାର ୩୧ଟି ୱାର୍ଡ। ସେହିପରି ୬ ହଜାର ୭୯୪ ପଞ୍ଚାୟତ ମଧ୍ୟରୁ ୩୫ ଶହ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଓବିସିଙ୍କ ପାଇଁ ସଂରକ୍ଷିତ ରଖାଯାଇଛି ୭୭୮ ଆସନ। ସମୁଦାୟ ୬ ହଜାର ୭୯୩ ସମିତି ସଭ୍ୟ ପଦରୁ ୩ ହଜାର ୫୩୮ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି ଓବିସିଙ୍କ ପାଇଁ ସଂରକ୍ଷିତ ରହିଛି ୯୧୩ ଟି ଆସନ।

ସେପଟେ ବଢ଼ିଲା ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ସମୟ। ସକାଳ ୭ରୁ ଦିନ ଗୋଟାଏ ଯାଏଁ ହେବ ଭୋଟ ଗ୍ରହଣ। ଏଥିସହ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ମଧ୍ୟ ବଢାଯାଇଛି। ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ନିର୍ବାଚନ ଖର୍ଚ୍ଚ ସୀମା ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୮୦ ହଜାର ଟଙ୍କା ଥିଲା। ଏଥିସହ ଜିଲ୍ଲା ପରିଷଦ ସଭ୍ୟଙ୍କ ଖର୍ଚ୍ଚ ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

୨୦୧୭ରେ ଏହା ୨ ଲକ୍ଷ ଟଙ୍କା ଥିଲା। ପୂର୍ବରୁ ଆୟୋଜନ ହୋଇଥିବା ସର୍ବଦଳୀୟ ବୈଠକ ରେ ବିଭିନ୍ନ ଦଳ ଆୟୋଗଙ୍କ ପାଖରେ ଏହି ଦୁଇ ଦାବି ରଖିଥିଲେ। ଜିଲ୍ଲା ପରିଷଦ ପ୍ରାର୍ଥୀ ସର୍ବାଧିକ ୫ଟି ଜିପ୍ କିମ୍ବା କାର ଓ ୧୦ଟି ମୋଟର ସାଇକେଲ, ସମିତି ସଭ୍ୟ ଓ ସରପଂଚ ପ୍ରାର୍ଥୀ ୨ଟି କାର କିମ୍ବା ଜିପ୍ ଓ ୫ଟି ମୋଟର ସାଇକେଲ ପ୍ରଚାର ସମୟରେ ବ୍ୟବହାର କରିପାରିବେ। ଏ ନେଇ ଉପଜିଳ୍ଲାପାଳଙ୍କୁ ଅବଗତ କରାଇବେ ପ୍ରାର୍ଥୀମାନେ।

Leave a Reply