ତୃତୀୟ ପର୍ଯ୍ୟାୟର ଓଡ଼ିଶାର ସବୁଠୁ ଚର୍ଚ୍ଚିତ ଆସନରେ ହେବ ଭୋଟିଂ

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ୨୫ ତାରିଖରେ ଓଡ଼ିଶାରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ରାଜ୍ଯରେ ଏହି ପର୍ଯ୍ୟାୟରେ ସବୁଠୁ ଚର୍ଚ୍ଚିତ ଆସନରେ ଭୋଟିଂ ହେବ । ୬ଟି ଲୋକସଭା କ୍ଷେତ୍ର ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ, ଭୁବନେଶ୍ବରରେ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ଆଜି ସନ୍ଧ୍ଯାରେ ପ୍ରଚାର ସରିବ । ଏଣୁ ଶେଷଦିନରେ ଘମାଘୋଟ ପ୍ରଚାର କରୁଛନ୍ତି ସବୁଦଳ । ଆସନ୍ତା ଶନିବାର ଏହି ୬ ଲୋକସଭା ଆସନ ଅନ୍ତର୍ଗତ ୪୨ ବିଧାନସଭା ଆସନରେ ବି ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ହେଉଥିବା ସମ୍ବଲପୁର, ଭୁବନେଶ୍ବର, ପୁରୀ ଓ କଟକ ଲୋକସଭା ଉପରେ ସମସ୍ତଙ୍କର ନଜର ରହିଛି । ସମ୍ବଲପୁରରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଲଢୁଥିବାବେଳେ ତାଙ୍କୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ଏହାଛଡ଼ା ଏଠାରେ କଂଗ୍ରେସ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି । ସେହିପରି ପୁରୀରେ ଏଥର ବିଜେପିର ସମ୍ବିତ ପାତ୍ର ଓ ବିଜେଡିର ଅରୂପ ପଟ୍ଟନାୟକଙ୍କ ମଧ୍ଯରେ ବଡ଼ ଲଢେଇ ଦେଖିବାକୁ ମିଳିବ । ଅନ୍ଯପଟେ ଅନ୍ଯତମ ଚର୍ଚ୍ଚିତ ଆସନ ପାଲଟିଛି ଭୁବନେଶ୍ବର । ଏଠାରେ ବିଜେପି ଅପରାଜିତା ଷଡ଼ଙ୍ଗୀଙ୍କୁ ରିପିଟ କରିଥିବାବେଳେ ବିଜେଡି ମନ୍ମଥ ରାଉତରାୟଙ୍କୁ ମଇଦାନକୁ ଓହ୍ଲାଇଛି । କଂଗ୍ରେସ ତରଫରୁ ୟାସିର ନଓ୍ବାଜ୍ ଲଢେଇ କରୁଛନ୍ତି ।

ଅନ୍ଯପଟେ କଟକ ଆସନ ଉପରେ ବି ନଜର ରହିଛି । ଏଠାରେ ଭର୍ତ୍ତୃହରି ମହତାବଙ୍କୁ ବିଜେପି ଟିକେଟ ଦେଇଥିବାବେଳେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ସଂତୃପ୍ତ ମିଶ୍ର । ଏହି ଲୋକସଭା ବ୍ଯତୀତ ଢେଙ୍କାନାଳ ଓ କେନ୍ଦୁଝରରେ ବି ସଭିଙ୍କର ନଜର ରହିଛି । ଅନ୍ଯପଟେ ତୃତୀୟ ପର୍ଯ୍ୟାୟରେ ଅନେକ ହାଇପ୍ରୋଫାଇଲ ବିଧାନସଭା ଆସନରେ ବି ଭୋଟିଂ ହେଉଛି । କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢାଖୋଲ, ଦେବଗଡ଼, ତେଲକୋଇ, ଘଷିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ, ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡା, ତାଳଚେର, ଅନୁଗୁଳ, ଛେଣ୍ଡିପଦା, ଆଠମଲ୍ଲିକ, ବଡ଼ମ୍ବା, ବାଙ୍କି, ଆଠଗଡ଼, ବାରବାଟୀ କଟକ, ଚୌଦ୍ବାର, କଟକ, କଟକ ସଦର, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଜୟଦେବ, ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର, ଏକାମ୍ର ଭୁବନେଶ୍ବର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା, ଚିଲିକା, ରଣପୁର, ଖଣ୍ଡପଡ଼ା, ନୟାଗଡ଼ରେ ଭୋଟ୍ ଗ୍ରହଣ ହେବ।