spot_img

Latest Posts

ଉପର ମଥାରେ ପ୍ରବଳ ବର୍ଷା କାରଣରୁ ବିପଦ ସଂକେତ ଟପିଲାଣି ସୂବର୍ଣ୍ଣରେଖା ନଦୀ ଜଳସ୍ତର

ଜଳେଶ୍ୱର: ଉପାର ମୁଣ୍ଡରେ ମୌସୁମୀ ବର୍ଷା କାରଣରୁ ଫୁଲୁଛି ସୂବର୍ଣ୍ଣରେଖା ନଦୀ। ଆଜି ସକାଳୁ ଝାଡ଼ଖଣ୍ଡରୁ ବର୍ଷାପାଣି ଆସି ସୂବର୍ଣ୍ଣରେଖା ନଦୀର ରାଜଘାଟ ନିକଟରେ ମିଶିବା ଫଳରେ ଜଳସ୍ତର ବିପଦ ସଂକେତ ଟପିଛି। ରାଜଘାଟ ନିକଟରେ ନଦୀର ବିପଦ ସଂକେତ ୧୦.୩୬ ମିଟର ଥିବାବେଳେ, ସକାଳ ୯ଟା ସୁଦ୍ଧା ଏଠାରେ ଜଳସ୍ତର ୧୦.୫୪ ମିଟରରେ ପହଞ୍ଚିଛି। ଫଳରେ ଭୋଗରାଇ ତହସିଲର ଦହମୁଣ୍ଡା, ଗବଗାଁ, ଚିରକୁଲା, ଆରୁହାବର୍ତ୍ତି, କୁଲଡ଼ା ପ୍ରଭୃତି ଗାଁ ସମେତ ୫/୬ଟି ପଞ୍ଚାୟତରେ ବନ୍ୟାପାଣି ପସି ଯାଇଛି।

ସେହିପରି ବାଲିଆପାଳ ତହସିଲର ୬ଟି ପଞ୍ଚାୟତର କୁଦମାନସିଂ, ସୂର୍ଯ୍ୟପୁର, ଗୁଣପୁର, ଆଠବାଟିଆ, ସୁଙ୍ଗମୁହଁ, ବିଷ୍ଣୁପୁର, ଅସ୍ତି, ମଧୁପୁରା ପ୍ରଭୃତି ଗାଁ ପ୍ରଭାବିତ ହୋଇଛି। ସୂବର୍ଣ୍ଣରେଖା ନଦୀକୁ ଝାଡ଼ଖଣ୍ଡର ଗାଲୁଡ଼ିହି ବ୍ୟାରେଜ୍‌ରୁ ୮ ହଜାର କ୍ୟୁସେକ୍‌ ବନ୍ୟାଜଳ ଛଡ଼ା ଯାଇଛି। ସେହିପରି ଚାନ୍ଦିଲି ଡ଼୍ୟାମର ଗୋଟିଏ ଗେଟ୍‌ ଦେଇ ମଧ୍ୟ ନଦୀକୁ ବନ୍ୟାଜଳ ପ୍ରବେଶ କରୁଛି। ଫଳରେ ଆଜି ମଧ୍ୟାହ୍ନ ଗୋଟାଏ ସୁଦ୍ଧା ନଦୀର ଜଳସ୍ତର ୧୧ ମିଟରରେ ପହଞ୍ଚିପାରେ ବୋଲି ପୂର୍ବାନୁମାନ କରିଛି ଜଳସେଚନ ବିଭାଗ। ଅପରାହ୍ନ ପରେ ନଦୀର ଜଳସ୍ତର ହ୍ରାସ ପାଇପାରେ ବୋଲି ଜଳସେଚନ ବିଭାଗ ସୂଚନା ଦେଇଛି।

Latest Posts

Don't Miss