ସାରାଦେଶରେ ସକ୍ରିୟ ମୌସୁମୀ, ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା ପରେ ଜଳବନ୍ଦୀ

1 min read

ନୂଆଦିଲ୍ଳୀ: ସାରାଦେଶରେ ମୌସୁମୀ ବର୍ଷା । ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ଲଗାଣ ବର୍ଷା ପରେ ବନ୍ୟା ସ୍ଥିତି । ଗତକାଲି ରାତିରୁ ଦିଲ୍ଲୀ ଏନସିଆରରେ ଅବିଶ୍ରାନ୍ତ ବର୍ଷା ଯୋଗୁ ଓ୍ବାଟରଲଗିଂ ସମସ୍ୟା ଦେଖାଯାଇଛି । ରାଜଧାନୀରେ ୫ ଦିନ ଆଗୁଆ ମୌସୁମୀ ପହଞ୍ଚିଥିବା ବେଳେ ନୋଏଡା, ଗାଜିଆବାଦ, ହରିଆଣାରେ ପ୍ରବଳ ବର୍ଷା ଜନଜବୀନକୁ ଅସ୍ତବ୍ୟସ୍ତ କରିଛି । ରାସ୍ତା ଉପରେ ବର୍ଷା ପାଣି ଜମି ରହିଥିବାରୁ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଯାଇଛି । ଅନ୍ୟ ରାଜ୍ୟରେ ବି ଲଗାଣ ବର୍ଷା ଯୋଗୁ ବନ୍ୟା ସ୍ଥିତି ଅତି ଗମ୍ଭୀର ହୋଇଛି । ମହାରାଷ୍ଟ୍ରରେ ବର୍ଷା, ଓ୍ବାଟରଲଗିଂ ଯୋଗୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା ପରେ ଗଛ ଉପୁଡ଼ି ପଡ଼ିବା ଯୋଗୁ ମଲାଡର ୩୮ବର୍ଷୀୟ କୁଶାଲଙ୍କର ମୃତ୍ୟୁ ହୋଇଥିବା ବେଳେ ପାଲଗଡ, ଥାନେ ଆଦି ମଧ୍ୟ ଅନେକ ଗଛ ଉପୁଡ଼ି ପଡ଼ିଥିବା ଜଣାପଡ଼ିଛି ।

ଆସନ୍ତା ୪ରୁ ୫ ଦିନ ଯାଏଁ ମହାରାଷ୍ଟ୍ରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ରହିଥିବା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ସେପଟେ ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶରେ ବି ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ବର୍ଷା ଓ ଭୂସ୍ଖଳନ ଯୋଗୁ ଶତାଧିକ ରାସ୍ତା ବନ୍ଦ ହୋଇଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ହିମାଚଳରେ ବର୍ଷାଜନିତ ମୃତ୍ୟୁସଂଖ୍ୟା ୪ରେ ପହଞ୍ଚିଛି । ଉତ୍ତରାଖଣ୍ଡ ଚମୋଲିରେ ଲ୍ୟାଣ୍ଡ ସ୍ଲାଇଡ୍ ଯୋଗୁ ବଦ୍ରିନାଥ ହାଇଓ୍ବେ ବନ୍ଦ ହୋଇଯାଇଛି । ସେହିପରି ଦକ୍ଷିଣ-ପୂର୍ବ ମୌସୁମୀ ବାୟୁ ଗୁଜରାଟର ସବୁ ଜିଲ୍ଲାରେ ପହଞ୍ଚିଥିବା ବେଳେ ଦକ୍ଷିଣ ଗୁଜରାଟର ଏକାଧିକ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ସେପଟେ କର୍ଣ୍ଣାଟକ, ଗୋଆ, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ବି ଜାରି ରହିଛି ମୌସୁମୀ ଜନିତ ବର୍ଷା ।