ୟୁକ୍ରେନରେ ଭାରତର ’ମିଶନ୍ ଏୟାରଲିଫ୍ଟ’, ୧୬ ହଜାର ଭାରତୀୟଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହେଲା ପ୍ରସ୍ତୁତି

1 min read

ନୂଆଦିଲ୍ଲୀ: ୟୁକ୍ରେନ-ଋଷ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଗତକାଲି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରୁଛି ଋଷ । ତିନିପଟୁ ୟୁକ୍ରେନକୁ ଘେରି ଆକ୍ରମଣ କରୁଛି ଋଷ । ୟୁକ୍ରେନ ରାଜଧାନୀ କିଭ୍ ସହ ଅନେକ ସହର ଉପରେ ମିଜାଇଲ ମାଡ଼ କରୁଛି ଋଷ । ତେବେ ୟୁକ୍ରେନରେ ଏହି ଯୁଦ୍ଧ ଭିତରେ ହଜାର ହଜାର ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀ ଫସି ରହିଛିନ୍ତି । ଏହାରି ଭିତରେ ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଦାର କରିବା ପାଇଁ ଏକ ବଡ଼ ଧରଣର କୂଟନୈତିକ ପଦକ୍ଷେପ ଗ୍ରହଣ କରିଛି ଭାରତ । ୟୁକ୍ରେନରେ ଋଷର ଆକ୍ରମଣ ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହି ଆଲୋଚନା ମଧ୍ୟରେ ୟୁକ୍ରେନରେ ଫସିଥିବା ଭାରତୀୟ ନାଗରିକଙ୍କୁ ସୁରକ୍ଷାକୁ ପୁଟିନଙ୍କୁ ଅବଗତ କରିଥିଲେ । ୟୁକ୍ରେନରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ଉପରେ ପ୍ରାଥମିକତା ଦେଇଛନ୍ତି କେନ୍ଦ୍ର ସରକାର । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ୟୁକ୍ରେନରେ ଫସିଥିବା ୧୬ ହଜାର ଭାରତୀୟଙ୍କ ସୁରକ୍ଷାକୁ ନେଇ କ୍ୟାବିନେଟ କମିଟି ବୈଠକ ଡାକିଥିଲେ । ଋଷର ଆକ୍ରମଣ ପରେ ୟୁକ୍ରେନ ତା’ର ଆକାଶ ସୀମା ବନ୍ଦ କରିଛି । ତେଣୁ ଭାରତ ହଙ୍ଗେରୀ, ପୋଲାଣ୍ଡ ଓ ରୋମାନିଆ ଦେଇ ସଡ଼କ ପଥରେ ଆଣିବାକୁ ଯୋଜନା କରିଛି ।

ୟୁକ୍ରେନରେ ମୋଟ ୨୦ ହଜାର ଭାରତୀୟ ନାଗରିକ ଫସି ରହିଥିଲେ । ସେଥିମଧ୍ୟରୁ ପ୍ରାୟ ୪ ହଜାର ନାଗରିକ ଭରତୀୟକୁ ଫେରି ପାରିଛନ୍ତି । ତେବେ ୟୁକ୍ରେନରେ ଫସି ରହିଥିବା ଆଉ ୧୬ ହଜାର ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ପୋଲାଣ୍ଡ, ହଙ୍ଗେରୀ ଓ ରୋମାନିଆ ସରକାରଙ୍କ ସହ ଆଲୋଚନ କରିଛନ୍ତି । କେବଳ ଏତିକି ନୁହେଁ ଏସ. ଜୟଶଙ୍କର ୟୁକ୍ରେନ ବୈଦେଶିକ ମନ୍ତ୍ରୀଙ୍କ ସହ ବି ଆଲୋଚନା କରିପାରନ୍ତି ବୋଲି ମଧ୍ୟ ସୂଚନା ମିଳୁଛି ।

Leave a Reply