‘ଗହଳି ଯାଗାରେ ନିଜ ସୁରକ୍ଷା ପାଇଁ ମାସ୍କ ପିନ୍ଧନ୍ତୁ’

1 min read

ଭୁବନେଶ୍ବର: ଯଦି ଗହଳି ସ୍ଥାନକୁ ଯାଉଛନ୍ତି ତାହାଲେ ନିଜ ସୁରକ୍ଷା ପାଇଁ ମାସ୍କ ପିନ୍ଧନ୍ତୁ । ଆମ ରାଜ୍ୟରେ ୯୦ ପ୍ରତିଶତରୁ ଅଧିକା ଲୋକ ଦୁଇଟି ଡୋଜ୍ ଟିକା ନେଇ ସାରିଛନ୍ତି । କରୋନା ନେଇ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ  ।

ଆଜି ପ୍ରେସମିଟରେ ଏପରି କହିଛନ୍ତି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ସ୍ବାସ୍ଥ୍ୟ ସଚିବ କହିଛନ୍ତି ଯେ, ଭାରତରେ ଏବେ ଶହେରୁ ୨ଶହ ଭିତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି । ଏବଂ ଓଡ଼ିଶାରେ ୫ରୁ ୭ ଭିତରେ ରହୁଛି । ଗତ ୩ ମାସ ଧରି ଓଡ଼ିଶାରେ କେସ୍ ରେଟ କମ୍ ରହିଛି । ଓଡ଼ିଶାରେ ଜାତୀୟ ସ୍ଥରରୁ ଅଧିକ ଟେଷ୍ଟିଂ ହେଉଛି । ଏବେ ପ୍ରତିଦିନ ୬ ହଜାରରୁ ୭ ହଜାର ଲୋକଙ୍କ ଟେଷ୍ଟିଂ ହେଉଛି ।

ଏବେ ଓଡ଼ିଶାରେ ପଜିଟିଭିଟି ରେଟ ୦.୦୪ ପ୍ରତିଶତ ରହୁଛି । ଏହାକୁ ନଜରରେ ରଖି ଓଡ଼ିଶାରେ କରୋନା କଟକଣା ସମ୍ପୂର୍ଣ୍ଣ ଉଠି ଯାଇଛି । ଯଦି କେହି ଗହଳି ସ୍ଥାନକୁ ଯାଉଛନ୍ତି ତାହାଲେ ନିଜ ସୁରକ୍ଷା ପାଇଁ ମାସ୍କ ପିନ୍ଧନ୍ତୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ସଚିବ ।

ଓଡ଼ିଶାରେ ସବୁ ମେଡିକାଲରେ ଟେଷ୍ଟିଂ କିଟ୍, ଓୗଷଧ ଏବଂ ଅକ୍ସିଜେନ୍ ଯଥେଷ୍ଟ ପରିମାଣରେ ମହଜୁଦ ରହିଛି । ଓଡ଼ିଶାରେ ଚୀନ ଭଳି ସ୍ଥିତି ହେବ କି? ଏ ନେଇ ସ୍ବାସ୍ଥ୍ୟ ସଚିବ କହିଛନ୍ତି, ବିଶେଷଜ୍ଞଙ୍କ ସହ ଏ ନେଇ ଆଲୋଚନା ହୋଇଥିଲା । ସେମାନେ କହିଛନ୍ତି ଚୀନ ହୋଇଥିବା ପରିସ୍ଥିତିର କାରଣ ଅଲଗା । ଆମ ରାଜ୍ୟରେ ୯୦ ପ୍ରତିଶତରୁ ଅଧିକା ଲୋକ ଦୁଇଟି ଡୋଜ ଟିକା ନେଇ ସାରିଛନ୍ତି ।

ଏବେ ଚାଲିଥିବା କରୋନାର BF. 7 ଭାରିଆଣ୍ଟ ଓଡ଼ିଶା ଏବଂ ଭାରତରେ ଗତ ୩ରୁ ୪ ମାସ ଧରି ରହିଛି । କିନ୍ତୁ ଏହାଦ୍ବାରା ଆମ ଦେଶ କିମ୍ବା ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇନାହିଁ । ଏହାଦ୍ବାରା ଚିନ୍ତା କରିବାର କୌଣସି କାରଣ ନାହିଁ ।