ଶ୍ରାବଣରେ ବର୍ଷାର ନାହିଁ ଦେଖା, ସନ୍ତୁଳି ହେଉଛନ୍ତି ଲୋକେ

1 min read

ଭୁବନେଶ୍ୱର: ଶ୍ରାବଣରେ ସିଝୁଛି ଓଡ଼ିଶା । ସନ୍ତୁଳି ହେଉଛନ୍ତି ଲୋକ । ସମୁଦ୍ରରୁ ସ୍ଥଳଭାଗକୁ ପ୍ରବାହିତ ହେଉଛି ଗରମ ପବନ । ସମୁଦ୍ରର ତାତି ସ୍ବାଭାବିକଠାରୁ ଅଧିକ ରହୁଥିବାରୁ ଏଭଳି ସ୍ଥିତି ଉପୁଜିଛି । ଆସନ୍ତାକାଲିଠୁ ରାଜ୍ୟରେ ପାଗ ବଦଳିପାରେ । ଘୂର୍ଣ୍ଣିବଳୟ ପ୍ରଭାବରେ ପ୍ରବଳ ବର୍ଷା ନେଇ ଦକ୍ଷିଣ ଓଡ଼ିଶାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ତ୍ତମାନ ମୌସୁମୀର ନିମ୍ନ ଚାପରେଖା ରାଜସ୍ଥାନର ଗଙ୍ଗାନଗରରୁ ବାହାରି ବାଲେଶ୍ୱର ଦେଇ ଦକ୍ଷିଣ- ପୂର୍ବ ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି ।

ଏହାସହ ଉତ୍ତର ଆନ୍ଧ୍ରପ୍ରଦେଶରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ମୌସୁମୀ ଶୀଘ୍ର ସ୍ୱାଭାବିକ ସ୍ଥିତିକୁ ଫେରିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ଅନୁମାନ କରିଛି । ଚଳିତ ମୌସୁମୀ ଋତୁରେ ଜୁନ ୧ରୁ ଜୁଲାଇ ୪ ତାରିଖ ସୁଦ୍ଧା ୧୭୧.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ଆକଳନ ୨୪୭.୪ ମିଲିମିଟର ତୁଳନାରେ ୩୧ ପ୍ରତିଶତ କମ୍ ।