ଆଜି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହେବ ଲଘୁଚାପ

1 min read

ଭୁବନେଶ୍ବର: ଗୁରୁବାର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହେବ ଲଘୁଚାପ । ପରେ ଏହା ଆନ୍ଧ୍ର ଉପକୂଳରୁ ରିକର୍ଭ କରି ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତିକରି ଓଡ଼ିଶା ଉପକୂଳମୁହାଁ ହେବ । ପ୍ରଭାବରେ ଗତକାଲିଠୁ ପାଗ ବଦଳିଥିବାବେଳେ ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି  । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବ ।

ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର ଏବଂ ଭଦ୍ରକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବର୍ଷା ସହ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ବହିବ ପବନ । ଫଳରେ ସମୁଦ୍ର ଅଶାନ୍ତରୁ ତୀବ୍ର ଅଶାନ୍ତ ହେବ । ଏଥିପାଇଁ ୧୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ପ୍ରବଳ ବର୍ଷାରେ ପ୍ରଭାବିତ ହୋଇପାରେ ଧାନ ଚାଷ । ସେଥିପାଇଁ ଅମଳ ଯୋଗ୍ୟ ହୋଇଥିବା ଧାନକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯାଇଛି । କୃଷି ବିଭାଗ ସ୍ବତନ୍ତ୍ର ବୈଠକ ଡାକିବା ସହ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।