ଜଳୁଛି ଓଡ଼ିଶା: ଦିନ ସାଢ଼େ ୧୧ଟା ସୁଦ୍ଧା ୪ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଅଗ୍ନୀବର୍ଷା । ତାତି ଓ ଝାଞ୍ଜି ପବନରୁ ମିଳୁନି ତ୍ରାହୀ । ଡହ ଡହ ଖରାରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସମ୍ଭାଳ ତାତି । ଦିନ ସାଢ଼େ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ଉପରେ ରହିଛି ୪ ସହରର ତାପମାତ୍ରା ।

ଝାରସୁଗୁଡା ଓ କେନ୍ଦୁଝରରେ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୪୦.୭ ଡିଗ୍ରୀ ଥିବା ବେଳେ, ବାଲେଶ୍ୱରରେ ତାପମାତ୍ରା ୪୦.୧ ଡିଗ୍ରୀ ରହିଛି ।

ଅନ୍ୟ ସହର ଗୁଡିକ ମଧ୍ୟରେ ରାଉରକେଲା ୩୯.୬, ଚାନ୍ଦବାଲି ୩୯.୨, ସମ୍ବଲପୁର ୩୮.୨, ହୀରାକୁଦ ୩୭.୮, ପୁରୀ ୩୪.୪, ପାରାଦୀପ ୩୩.୫ ଓ ଗୋପାଳପୁରରେ ତାପମାତ୍ରା ୩୨.୮ ଡିଗ୍ରୀ ରେକର୍ଡ କରାଯାଇଛି । ୨୩ ତାରିଖରୁ କାଳବୈଶାଖୀ ବର୍ଷା କମିବା ସହ ପୁଣି ତାତି ବଢିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କହିଛି ।