କମିବ ତାପମାତ୍ରା ବଢିବ ଶୀତ, ୫ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଘନ କୁହୁଡୁର ଆସ୍ତରଣ ଜନଜୀବନ ଅସ୍ତବ୍ୟସ୍ତ କରିଛି । ସକାଳ ୯ଟା ୧୦ ଯାଏଁ ବି କୁହୁଡ଼ି କମୁ ନଥିବାରୁ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଉଛି । ଯଦିଓ ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ବଢିବା ନେଇ କୁହାଯାଇଛି । ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା ବଢିବ । ଉପକୂଳ ଓଡ଼ିଶାର ଜିଲ୍ଲାଗୁଡିକରେ ସ୍ୱାଭାବିକ ଠାରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

କେବଳ ସେତିକି ନୁହେଁ କିଛି ଦିନର ବ୍ୟବଧାନ ପରେ ପୁଣି ୨୧ ତାରିଖରୁ ଶୀତ ଲେଉଟିବ । ସ୍ୱାଭାବିକ ଠାରୁ ୩ ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ସହ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ଶୀତ ଅନୁଭୂତ ହେବ । ଶୀତ ଏବଂ ତାପମାତ୍ରା ବୃଦ୍ଧି ଲୁଚକାଳି ଖେଳ ମଧ୍ୟରେ ଘନ କୁହୁଡି ଅସ୍ତବ୍ୟସ୍ତ କରିବ ।

ବିଶେଷ କରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ, ବୌଦ୍ଧ, କନ୍ଧମାଳ, ଅନୁଗୁଳ, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ଗଞ୍ଜାମରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡି ଅନୁଭୂତ ହେବ । ବୌଦ୍ଧ, ନୟାଗଡ, ପୁରୀ, କନ୍ଧମାଳ ଏବଂ କଳାହାଣ୍ଡିରେ ଘନ କୁହୁଡି ପାଇଁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଅଞ୍ଚଳ ଗୁଡିକରେ ୨ଶହ ମିଟରରୁ କମ୍ ଦୃଶ୍ୟମାନ ରହିବ ।

Leave a Reply