କାଲିଠୁ ରାଜ୍ୟରେ ବଦଳିବ ପାଗ, ହାଲୁକାରୁ ମଧ୍ୟମ ଧରଣର ବର୍ଷା

1 min read

ଭୁବନେଶ୍ୱର: ଆଜି ବି ସିଝିବ ଓଡ଼ିଶା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାରଦ ଉପରମୁହାଁ ହୋଇଛି। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ତାପମାତ୍ରା ବଢିଛି । ମେଘମୁକ୍ତ ଆକାଶ ସହ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ପାଇଁ ରାଜ୍ୟରେ ତାତି ବୃଦ୍ଧି ପାଇଛି । କାଲିଠୁ ରାଜ୍ୟରେ ପୁଣି ପାଗରେ ପରିବର୍ତ୍ତନ ହେବ । ବିଶେଷ କରି ପଶ୍ଚିମା ଝଡ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ବର୍ଷା ନେଇ ଆକଳନ କରାଯାଇଛି। ୧୬ ତାରିଖ ବେଳକୁ ବର୍ଷାର ବିସ୍ତୃତି ବଢିବ। ଉପକୂଳ ସହ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ନେଇ ସତର୍କତା ଜାରି କରାଯାଇଛି । ୧୮ ଏବଂ ୧୯ ତାରିଖରେ ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ଏବଂ କିଛି ସ୍ଥାନରେ କୁଆପଥର ବର୍ଷା ହୋଇପାରେ। ବର୍ତ୍ତମାନ ରାଜ୍ୟରେ ବାୟୁ ଚଳାଚଳରେ ଅସଙ୍ଗତି ଦେଖାଦେଉଛି। ସେହିଭଳି ଉତ୍ତର ଓଡ଼ିଶାକୁ ଉତ୍ତର-ପଶ୍ଚିମ ଭାରତରୁ ଥଣ୍ଡା ପବନ ଆସୁଛି । ସେଥିପାଇଁ ଉତ୍ତର ଓଡ଼ିଶାରେ ତାପମାତ୍ରା କମ୍ ରହିଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାତି ବଢିବ ନାହିଁ ବୋଲି କୁହାଯାଇଛି ।