ରାଜରାସ୍ତାରେ ବୁଣାକାର ଓ କାରିଗର: ହକ ପାଇଁ ଚାଲିଛି ଲଢ଼େଇ

ରାଜରାସ୍ତାରେ ବୁଣାକାର ଓ କାରିଗର । ହକ ପାଇଁ ଚାଲିଛି ଲଢ଼େଇ । ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହୋଇଛି । ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦ ମଧ୍ୟ ସକ୍ରିୟ ନାହିଁ । ଯାହାର ପ୍ରତିବାଦରେ ଯାଜପୁରରେ ବିଶାଳ ବିକ୍ଷୋଭ। ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି ଶହଶହ ବୁଣାକାର ଓ ଶିଳ୍ପୀ କାରିଗର। ପୂର୍ବ ସରକାର ରାଜ୍ୟର ହସ୍ତଶିଳ୍ପୀ ଓ ବୁଣାକାରଙ୍କ ସାମାଜିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ଲାଗୁ କରିଥିଲେ । କିନ୍ତୁ ଏହି ଯୋଜନାରୁ ବାଦ୍ ପଡିଛନ୍ତି ଅନେତ ହସ୍ତଶିଳ୍ପୀ।
ନିୟମ ରହିଛି ୪୦ ବର୍ଷର ମହିଳା ଓ ୫୦ ବର୍ଷର ପୁରୁଷ ବୁଣାକାର ଏବଂ ହସ୍ତଶିଳ୍ପୀ ଏହି ଯୋଜନାର ହିତାଧିକାରୀ ହୋଇପାରିବେ । କିନ୍ତୁ ଏହାକୁ କାର୍ଯକାରୀ କରାଯାଉନି । ଫଳରେ ରାଜ୍ୟର ହଜାର ହଜାର ଶିଳ୍ପୀ ଓ କାରିଗର ଏଥିରୁ ବଞ୍ଚିତ ହେଉଛନ୍ତି। ସେହିଭଳି ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦର ପରିଚାଳନା ବୋର୍ଡ଼ ରାଜ୍ୟ ସରକାର ଏ ଯାଏ ପୁନର୍ଗଠନ କରିନାହାନ୍ତି । ଫଳରେ ସମସ୍ୟା ବଢ଼ିବାରେ ଲାଗିଛି। ରାଜ୍ୟର ହସ୍ତଶିଳ୍ପୀ ଓ ବୁଣାକାରଙ୍କ ପ୍ରତି ଅବିଚାର ପ୍ରତିିବାଦରେ କାରିଗର ବହୁଳ ସମସ୍ତ ଜିଲ୍ଲାରେ ଆନ୍ଦୋଳନ ଗଢ଼ି ତୋଳିବାକୁ ଓଡିଶା ଶିଳ୍ପୀ ମହାସଂଘ ନିଷ୍ପତି ନେଇଛି । ଏହିକ୍ରମରେ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ଓ ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦକୁ କାର୍ଯ୍ୟକାରୀ କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଆଜି ଯାଜପୁର ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସେପଟେ ସମସ୍ୟା ସମାଧାନ କରାଯିବ ବୋଲି ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ପୂର୍ବ ସରକାର ବୁଣାକାର ହସ୍ତଶିଳ୍ପ କାରିଗରଙ୍କ ଆର୍ଥିକ ବିକାଶ ପାଇଁ ଯୋଜନା ପ୍ରଣୟନ କରିଥିଲେ । ଚାଲୁ ରହିଥିବା ଯୋଜନାକୁ କାର୍ଯ୍ୟକାରୀ କରିବାରେ କାହିଁକି ଓ କେଉଁଠି ଅବହେଳା ରହିଛି ସେ ନେଇ ବିଭାଗୀୟ ମନ୍ତ୍ରୀ ବିଧିବଦ୍ଧ ତଦନ୍ତ କରି ପଦକ୍ଷେପ ନେବାକୁ ସବୁ ମହଲରେ ଦାବି ଉଠିଛି ।