ଟୋକିଓରେ ଭାରତର ପଦକ ଯାତ୍ରା ଆରମ୍ଭ: ମହିଳା ଭାରୋତ୍ତୋଳନକାରୀ ମୀରାବାଈ ଚାନୁ ହାତେଇଲେ ରୌପ୍ୟ ପଦକ

1 min read

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ । ଦେଶ ପାଇଁ ପଦକ ଆଣିଲେ ଭାରୋତ୍ତୋଳନକାରୀ ମୀରା ବାଈ ଚାନୁ । ୪୯ କେଜି ବର୍ଗରେ ଭାରୋତ୍ତୋଳନରେ ରୌପ୍ୟ ପଦକ ହାସଲ କରିଛନ୍ତି ମୀରାବାଈ । ସ୍ନାଚରେ ୮୭ କେଜି ଉଠାଇ ଦ୍ୱିତୀୟ ସ୍ଥାନରେ ରହିବା ପରେ ମୀରା କ୍ଲିନ୍ ଆଉ ଜର୍କ ବର୍ଗରେ ପ୍ରଥମ ପ୍ରୟାସରେ ଚାନୁ ୧୧୦ କିଲୋଗ୍ରାମ ଉଠାଇଥିଲେ । ଦ୍ୱିତୀୟ ପ୍ରୟାସରେ ୧୧୫ କିଲୋଗ୍ରାମ ଉଠାଇଥିଲେ । ତେବେ ତୃତୀୟ ପ୍ରୟାସରେ ବିଫଳ ହେବାରୁ ମୋଟ ୨୦୫ କେଜି ଭାର ଉତ୍ତୋଳନ କରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ଚାନୁ । ଯଦିଓ ତାଙ୍କର ସର୍ବାଧିକ ଭାରୋତ୍ତୋଳନ ୨୧୦ କେଜି ରହିଛି । ଚୀନର ହୋଉ ଜୁହି ଏହି ବର୍ଗରେ ଗୋଲ୍ଡ ମେଡାଲ ପାଇଥିବାବେଳେ ବ୍ରୋଞ୍ଚ ହାଲ କରିଛନ୍ତି ଇଣ୍ଡୋନେସିଆର କ୍ୟାଣ୍ଟିକ ଉଇଣ୍ଡି ଆଇଶା । ପଦକ ହାସଲ କରିବାପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୀରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୀରାଙ୍କ ବିଜୟ ପରେ ତାଙ୍କ ଘରେ ଖୁସିର ମାହୋଲ ଖେଳିଯାଇଛି । ସଭିଏଁ ଖୁସି ଜାହିର କରିବାସହ ମୀରାଙ୍କ ଭବିଷ୍ୟତ କାମନା କରିଛନ୍ତି । ୨୦୦୦ ସିଡିନି ଅଲିମ୍ପିକସରେ କେ ମାଲେଶ୍ୱର ଜିତିଥିଲେ ବ୍ରୋଞ୍ଜ । ୨୧ ବର୍ଷ ପରେ ରୌପ୍ୟ ଜିତିଲେ ମଣିପୁରର ଏହି ଆଇରନ ଲେଡି ।
୨୦୧୪ରୁ ଅନ୍ତର୍ଜାତୀୟସ୍ତରରେ ଚାନୁ ଧ୍ୟାନ ଆକର୍ଷଣ କରି ବିଶ୍ୱଚାମ୍ପିଅନସିପ୍, ରାଜ୍ୟଗୋଷ୍ଠୀ କ୍ରୀଡାରେ ଏକାଧିକ ପଦକ ଜିତିବାକୁ ସକ୍ଷମ ହୋଇଥିଲେ । ମୀରାବାଈ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ଜିତିଥିବାବେଳେ ୨୦୧୮ରେ ସ୍ୱର୍ଣ୍ଣ ଜିତିବାରେ ସଫଳ ହୋଇଥିଲେ । ତେବେ ୨୦୧୭ରେ ଅନୁଷ୍ଠିତ ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିବା ତାଙ୍କ କ୍ୟାରିଅର ସର୍ବଶ୍ରେଷ୍ଠ ମୁହୂର୍ତ୍ତ ଥିଲା । ୨୦୧୮ରେ ଭାରୋତ୍ତୋଳନରେ ଶ୍ରେଷ୍ଠତା ପାଇଁ ତାଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ମିଳିଛି । ୧୯୯୪ ମସିହା ଅଗଷ୍ଟ ୮ ତାରିଖରେ ମଣିପୁରରେ ଜନ୍ମଗ୍ରହଣ କରିଥିଲେ ମୀରା ।

ଏଥିସହିତ ପଢ଼ନ୍ତୁ: Tokyo Olympics: ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୨ରେ ଭାରତୀୟ ହକି ଦଳ ବିଜୟୀ

Leave a Reply