ଶିଳ୍ପ କ୍ଷେତ୍ରରେ ଲେଖାଗଲା ନୂଆ ପରିଚୟ, ଚୌଦ୍ବାରରେ ଓ୍ବେଲପସନ ଲୁଗା କାରଖାନାର ଶିଳାନ୍ୟାସ

1 min read

ଚୌଦ୍ବାର: ପୂର୍ବ ଗୌରବ ଫେରି ପାଇବ ଚୌଦ୍ବାର। ସାରା ଓଡ଼ିଶା ପାଇଁ ଶିଳ୍ପ କ୍ଷେତ୍ରରେ ଲେଖାଗଲା ନୂଆ ପରିଚୟ। ଚୌଦ୍ବାରରେ ଓ୍ବେଲପସନ ଲୁଗା କାରଖାନାର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଯେ, ବିଶ୍ବସ୍ତରୀୟ କମ୍ପାନୀ ଓଡ଼ିଶାକୁ ଆସିବା ଖୁସିର କଥା।

ୱେଲପସନ ଲୁଗା କାରଖାନା ପାଇଁ ଶୁଭ ଦେଇ ମୁଁ ବହୁତ ଖୁସି । ସମସ୍ତଙ୍କ ସହଯୋଗରେ ଓଡିଶା ସାରା ବିଶ୍ବରେ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ସୁନାମ ଆଣିବ। ଚୌଦ୍ବାରରେ ବିଜୁ ବାବୁ ଶିଳ୍ପ ବିକାଶର ଭିତ୍ତି ରଖିଥିଲେ। ଆଜି ପୁଣି ଶିଳ୍ପ କ୍ଷେତ୍ରରେ ଏକ ନୂଆ ପରିଚୟ ଦେଖାଦେଲା। ଆଜି ୩ ହଜାର କୋଟି ଟଙ୍କାର ଲୁଗା କାରଖାନାର ଶିଳାନ୍ୟାସ ହୋଇଛି।

ଏହାଦ୍ବାରା ୧୦ ହଜାର ଯୁବକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଲୁଗା କାରଖାନା ହେଲେ କଳାହାଣ୍ଡି, ବଲାଙ୍ଗୀର, ରାୟଗଡ଼ା ଓ ଗଜପତି ଜିଲ୍ଲାର କପା ଚାଷୀ ଲାଭବାନ ହେବେ। ଖାସ କରି ମା ମା’ନେ ସ୍ବାବଲମ୍ବୀ ହେବା ସହ ସୁବିଧା ପାଇବେ। ମା’ ମାନଙ୍କ ଦକ୍ଷତା ବିକାଶ କରାଯିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ଏଭଳି ଏକ କଡ଼ କମ୍ପାନୀ ଓଡ଼ିଶାକୁ ଆସିବା ଏକ ଗୌରବ କଥା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟର ବିକାଶ ଦିଗରେ ଏହା ନୂଆ ପରିଚୟ ସୃଷ୍ଟି କରିବ। ଏଠାରେ ଲୁଗା କାରଖାନା ହେଲେ ଓଡ଼ିଶା ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ସାରା ବିଶ୍ବରେ ସୁନା ଅର୍ଜନ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଶିଳାନ୍ୟାସ ଅବସରରେ ବଡ଼ ଘୋଷଣା କରିଛନ୍ତି 5T ଅଧ୍ୟକ୍ଷ। ଏଠାରେ କମ୍ପାନୀ ହେଲେ, ଯେଉଁ ୬୫୦ ଲୋକଙ୍କ ଘରର ସମସ୍ୟା ଥିଲା ତାର ସମାଧାନ କରାଯିବ। ଏହି ପରିବାରର ଘର ପାଇଁ ଯାହା ଟଙ୍କା ଦରକାର, ତାହା ରାଜ୍ୟ ସରକାର ଯୋଗାଇ ଦେବେ ବୋଲି କହିଛନ୍ତି 5T ଅଧ୍ୟକ୍ଷ। ଏହି ଅବସରରେ ଜନ ସାଧାରଣଙ୍କୁ ୫ଟି ପ୍ରଶ୍ନ ପଚାରିଥିଲେ କାର୍ତ୍ତିକୁ ପାଣ୍ଡିଆନ୍। ମଧୁବାବୁ ଭତ୍ତା, ଗର୍ଭ ବତୀ ମା’ ମାନଙ୍କୁ ମମତା ଯୋଜନା ମିଳୁଥିବା ଲାଭ, ଲକ୍ଷ୍ମୀ ଯୋଜନା, କଳାକାର ଭତ୍ତା ବୃଦ୍ଧି, କଲେଜ ବା ପିଲାଙ୍କ ଲାଗି ନୂଆ-ଓ ସ୍କଲାରସିପ୍ ବାବଦରେ ସୂଚନା ଦେଇଥିଲେ 5T ଅଧ୍ୟକ୍ଷ। ନୂଆ-ଓ ସ୍କଲାରସିପ୍ ଜରିଆରେ ଛାତ୍ରଙ୍କ ଲାଗି ୯ ହଜାର ଓ ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ଆସନ୍ତା ୨୫ ତାରିଖ ସୁଦ୍ଧା ଏହି ଟଙ୍କା ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ ବୋଲି କହିଛନ୍ତି 5T ଅଧ୍ୟକ୍ଷ।