TMCର ଦୁଇ ସାଂସଦ ମହୁଆ ମୋଇତ୍ରା ଓ କଲ୍ୟାଣ ବାନାର୍ଜୀଙ୍କ ମଧ୍ୟରେ ବିବାଦ

1 min read

ନନ୍ଦିଘୋଷ ବ୍ୟୁରୋ: ତୃଣମୂଳ କଂଗ୍ରେସରେ ସବୁ କିଛି ଚାଲିନି ଠିକଠାକ୍ । ଦଳର ଦୁଇ ସାଂସଦ ମହୁଆ ମୋଇତ୍ରା ଓ କଲ୍ୟାଣ ବାନାର୍ଜୀଙ୍କ ମଧ୍ୟରେ କଥା କଟାକଟିକୁ ନେଇ ଏବେ ଚର୍ଚ୍ଚା । କଲ୍ୟାଣଙ୍କୁ ମହୁଆ ଘୁଷୁରି ବୋଲି ସମ୍ବୋଧନ କରିବା ପରେ ମହୁଆଙ୍କୁ କଲ୍ୟାଣ କହିଛନ୍ତି ଅମଣିଷ । ପରେ ପରେ ସାଂସଦ କଲ୍ୟାଣ ଲୋକସଭା ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେବା ପରେ ଦଳ ଭିତରେ ଚାଲିଛି କଳ୍ପନାଜଳ୍ପନା । କଲ୍ୟାଣ କହିଛନ୍ତି ମହୁଆଙ୍କ ଏହି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଜଣେ ସଭ୍ୟ ମଣିଷଠାରୁ ଏହା ଆଶା କରାଯାଇ ନପାରେ । ମହୁଆ କ୍ରିଷ୍ଣାନଗର ଓ କଲ୍ୟାଣ ସେରାମପୁର ଲୋକସଭା ଆସନରୁ ସାଂସଦ ଅଛନ୍ତି ।

ଏକ ପଡକାଷ୍ଟ ବେଳେ ମହୁଆଙ୍କ ବିବାହ ସମ୍ପର୍କରେ କଲ୍ୟାଣ ଦେଇଥିବା ମନ୍ତବ୍ୟକୁ ବିରୋଧ କରି ସେ ତାଙ୍କୁ ଘୁଷୁରି ବୋଲି କହିବା ସହ ଘୁଷୁରି ସହ ଲଢେଇ କରିବାର କାରଣ ନାହିଁ ବୋଲି କହିଥିଲେ । ଦେଶର ସମସ୍ତ ଦଳରେ ମହିଳା ବିଦ୍ବେଷୀ ମନୋଭାବ, ଯୌନଗତ ନୈରାଶ୍ୟ ସମ୍ପନ୍ନ ସାଂସଦମାନେ ରହିଛନ୍ତି ଏବଂ ସେମାନେ ଦଳକୁ ପ୍ରତିନିଧିତ୍ବ କରୁଛନ୍ତି ବୋଲି କହିଥିଲେ ମହୁଆ । ମହୁଆଙ୍କ ମତର ଜବାବ ରଖି କଲ୍ୟାଣ କହିଥିଲେ- ଜଣେ ଜନପ୍ରତିନିଧି ହୋଇ ଗାଳିଗୁଲଜକୁ ଭରସା କରିବା ସହ ଏପରି ମନ୍ତବ୍ୟ ଦେବା ନିଜର ଅକ୍ଷମତାର ନିଦର୍ଶନ । ଏହା ସହ ଜନପ୍ରତିନିଧି ହେବାର ଯୋଗ୍ୟତା ଓ ବ୍ୟକ୍ତିଗତ ଆଚରଣ ନେଇ ସେ ପ୍ରଶ୍ନ ଉଠାଇଥିଲେ ।

ଜଣେ ପୁରୁଷଙ୍କୁ ଯୌନଗତ ନୈରାଶ୍ୟବାଦୀ ବୋଲି କହିବା ଅତ୍ୟନ୍ତ କୁତ୍ସିତ ମନୋଭାବର ପରିଚାୟକ ବୋଲି କହିଥିଲେ କଲ୍ୟାଣ । ଏହି କଥା କଟାକଟି ପରେ ଦଳରେ ସମନ୍ବୟର ଅଭାବ ସମ୍ପର୍କରେ ମମତା ବାନାର୍ଜୀଙ୍କୁ ଦର୍ଶାଇ ଚାରି ଥରର ସାଂସଦ କଲ୍ୟାଣ ମୁଖ୍ଯ ସଚେତକ ପଦରୁ ଇସ୍ତଫା ଦେଇଥିଲେ । ସେପଟେ ଟିଏମସିର ଲୋକସଭାରେ ସଂସଦୀୟ ଦଳ ନେତା ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ହଟାଇ ନୂଆ ନେତା ହୋଇଛନ୍ତି ଡାୟମଣ୍ଡ ହାର୍ବର ସାଂସଦ ଅଭିଷେକ ବାନାର୍ଜୀ । ସେପଟେ ଆସନ୍ତା ୭ରେ ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ କଲ୍ୟାଣ ଭେଟିବା ସମ୍ଭାବନା ରହିଛି । କୁହାଯାଉଛି କଲ୍ୟାଣଙ୍କ କାର୍ଯ୍ୟାବଳୀ ଉପରେ ଅସନ୍ତୁଷ୍ଟ ଥିଲେ ମମତା ବାନାର୍ଜୀ । ଲୋକସଭାରେ ଅଧିକ ଦାୟିତ୍ବ ନେବା ଲାଗି ଦଳର ଉପନେତା କାକଳି ଦସ୍ତିଦାରଙ୍କୁ ମମତା ନିର୍ଦ୍ଦେଶ ଦେବା ପରେ କଲ୍ୟାଣ ଇସ୍ତଫା ଦେଇଥିବା ଚର୍ଚ୍ଚା ହୋଇଛି । ଅନେକ ସମୟରେ ବିଭିନ୍ନ ବିବାଦୀୟ ଟିପ୍ପଣୀ ଦେଇ ଦିଦିଙ୍କ ରୋଷରେ ପଡିଥିଲେ କଲ୍ୟାଣ ।