spot_img

Latest Posts

୨୦୨୬-୨୭ ଆର୍ଥିକ ବର୍ଷର ବଜେଟ ୨୦ରେ ଆଗତ କରିବେ ମୁଖ୍ୟମନ୍ତ୍ରୀ, ଅଟକଳ ୩ ଲକ୍ଷ କୋଟି ଟପିବା ଆକଳନ

୨୦୨୬-୨୭ ଆର୍ଥିକ ବର୍ଷର ବଜେଟ ୨୦ରେ ଆଗତ କରିବେ ମୁଖ୍ୟମନ୍ତ୍ରୀ, ଅଟକଳ ୩ ଲକ୍ଷ କୋଟି ଟପିବା ଆକଳନ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଆଗତ କରିବେ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ ।  ବଜେଟର ଆକାର କେତେ ହେବ ? ଖର୍ଚ୍ଚ ବ୍ୟୟ ଅଟକଳରେ କେଉଁ କ୍ଷେତ୍ରକୁ ମିଳିବ ଅଧିକ ଗୁରୁତ୍ୱ ? କୃଷି ବଜେଟ ପରିମାଣ କେତେ ରହିବ ? ସୁଭଦ୍ରା ଓ ଧାନ ଇନପୁଟ ସବସିଡ଼ି ପାଇଁ କେତେ ଅର୍ଥ ବ୍ୟୟ ବରାଦ କରିବେ ସରକାର ? ରାଜ୍ୟ ବଜେଟକୁ ନେଇ ଆରମ୍ଭ ହୋଇଛି ଆକଳନ ।

୧୭ରୁ ବିଧାନସଭା ବଜେଟ ଅଧିବେଶନ। ୨୦ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗତ କରିବେ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ । ଏଥର ବଜେଟ ଅଟକଳ ୩ ଲକ୍ଷ କୋଟି ଟପିବା ନେଇ ଚର୍ଚ୍ଚା ହେଉଛି । ବଜେଟରେ ଭିତ୍ତିଭୂମିକୁ ମିଳିବ ଅଧିକ ଗୁରୁତ୍ୱ । ବିକଶିତ ଓଡ଼ିଶା ୨୦୩୬ର ଝଲକ ଦେଖିବାକୁ ମିଳିପାରେ ଏଥର ବଜେଟରେ । ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ଼ କରିଡରରୁ ଆରମ୍ଭ କରି ନୂଆ ବିଧାନସୌଧ ଓ ଲୋକସେବା ଭବନ ପାଇଁ ବଜେଟରେ ବ୍ୟୟବରାଦ ହେବ । ବଜେଟରେ ଗ୍ରାମାଞ୍ଚଳ ଅର୍ଥନୀତିକୁ ଉପରକୁ ଉଠାଇବା ପାଇଁ ଏମଏସଏମଇ ସେକ୍ଟରକୁ ଗୁରୁତ୍ୱ ମିଳିପାରେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଆୟୁଷ୍ମାନ ଭାରତ ଯୋଜନା ଓ ଜି ଭିବି ଜି ରାମ ଯୋଜନା ପାଇଁ ରାଜ୍ୟର ଭାଗ ବଢୁଥିବାରୁ ବଜେଟରେ ଏଥିପାଇଁ ବ୍ୟୟବରାଦ ହେବ । କୃଷି, ଶିଳ୍ପ ସହ ଅନ୍ୟ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ବଜେଟରେ ବ୍ୟବସ୍ଥା କରିବାର ଆଶା କରିଛନ୍ତି ସମୀକ୍ଷକ ।

ଗତଥର ସରକାର ୨ ଲକ୍ଷ ୬୬ ହଜାର ୮୦୦ କୋଟି ଟଙ୍କାର ବଜେଟ ଆଣିଥିଲେ । ଅତିରିକ୍ତ ବଜେଟରେ ଆଉ ୧୭ ହଜାର ୪୪୦ କୋଟି ଟଙ୍କା ଯୋଡିଥିଲେ । ବଡ ଆକାରର ବଜେଟ ହେଲା, ହେଲେ ଖର୍ଚ୍ଚ କରିବାରେ ପଛୁଆ ରହିଲେ । ଭିତ୍ତିଭୂମି ଉପରେ ଗୁରୁତ୍ୱ ଦିଆଯିବା ଏକ ଶୁଭ ସଂକେତ, ହେଲେ ଠିକ୍ ସମୟରେ କାର୍ଯ୍ୟକାରୀ ହେବା ଦରକାର। ଓଡିଶା ଏବେ ପୁଞ୍ଜି ନିବେଶ ଆକୃଷ୍ଟ କରିବାରେ ଦେଶରେ ଦ୍ଵିତୀୟ । ଆର୍ଥିକ ଅଭିବୃଦ୍ଧିରେ ଏକ ନମ୍ବର। ପାନୀୟ ଜଳ ଯୋଗାଇବା ପାଇଁ ବୃହତ ପ୍ରକଳ୍ପ ହେଉଛି, ହେଲେ ନିର୍ଦ୍ଧାରିତ ସମୟରେ ସରୁ ନଥିବାରୁ ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ମିଳୁନାହିଁ । ଏଥର ବଜେଟରେ ବି ପାନୀୟ ଜଳ ପ୍ରକଳ୍ପ ଉପରେ ସରକାର ଫୋକସ କରିବେ ବୋଲି ଆଶା କରାଯାଉଛି ।

ଏଥର ଓଡିଶାକୁ କେନ୍ଦ୍ରୀୟ ଅନୁଦାନ କମିଛି । ଖଣି କ୍ଷେତ୍ରରେ ରାଜସ୍ବ ବି ଟାର୍ଗେଟ ପଛରେ । ତଥାପି ବିକଶିତ ଓଡିଶା ୨୦୩୬କୁ ଆଖି ଆଗରେ ରଖି ଏଥର ବଜେଟରେ ବ୍ୟୟବରାଦ କରାଯିବ ବୋଲି ଆଶା ରହିଛି ।

Latest Posts

Don't Miss