ଜିନପିଙ୍ଗ ପଠାଇଲେ ସିକ୍ରେଟ ଲେଟର, ତା’ପରେ ପିଏମ୍ ମୋଦୀଙ୍କ ଚୀନ ଗସ୍ତ: ଏହା ପଛରେ କ’ଣ ରହିଛି ରହସ୍ୟ ?

1 min read

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଠାରୁ ଚୀନ ଓ ଜାପାନ ଗସ୍ତରେ ଯାଉଛନ୍ତି । ଏହି ଗସ୍ତ କାଳରେ ଏସସିଓ ସମ୍ମିଳନୀରେ ସି ଜିନପିଙ୍ଗ ଓ ଭ୍ଲାଦିମିର ପୁଟିନଙ୍କୁ ମୋଦୀ ଭେଟିବେ । ଗତ କିଛି ମାସ ହେଲା ଭାରତ-ଚୀନ ସମ୍ପର୍କ ସୁଦୃଢ଼ ନେଇ ପ୍ରୟାସ ଜାରି ରହିଛି । ୭ ବର୍ଷ ପରେ ପିଏମ୍ ମୋଦୀ ଚୀନ ଗସ୍ତରେ ଯାଉଛନ୍ତି । ପାଖାପାଖି ୫ ବର୍ଷ ପୂର୍ବରୁ ଗଲଓ୍ବାନ ଘାଟିରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ଅତ୍ୟଧିକ ଉତ୍ତେଜନା ଦେଖିବାକୁ ମିଳିଥିଲା । ମାତ୍ର କିଛି ମାସ ହେଲା ଦୁଇ ଦେଶର ସମ୍ପର୍କରେ ସୁଧାର ପାଇଁ ପ୍ରୟାସ ଜାରି ରହିଛି ।

ଏହା ମଧ୍ୟରେ କିଛି ରହସ୍ୟ ଲୁଚି ରହିଛି । ଏକ ରିପୋର୍ଟରେ କୁହାଯାଇଛି ଯେ, ଚଳିତ ବର୍ଷ ମାର୍ଚ୍ଚରେ ଯେତେବେଳେ ଡୋନାଲ୍ଡ ଟ୍ରମ୍ପ ଚୀନ ସହ ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିଥିଲେ, ସେହି ସମୟରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଗୋପନୀୟ ଚିଠି ପଠାଇଥିଲେ । ସମ୍ପର୍କ ସୁଧାର ପାଇଁ ତାହା ପ୍ରଥମ ପଦକ୍ଷେପ ଥିଲା । ବ୍ଲୁମବର୍ଗର ଏକ ରିପୋର୍ଟରେ ଏହି ସିକ୍ରେଟ ପତ୍ରକୁ ନେଇ ଲମ୍ବା ଲେଖା ପ୍ରକାଶିତ ହୋଇଛି । ଜଣେ ଭାରତୀୟ ବ୍ଲୁମବର୍ଗକୁ କହିଛନ୍ତି, ପତ୍ରରେ ଆମେରିକାର ପଦକ୍ଷେପ ଦ୍ବାରା ଚୀନର କ୍ଷତି ବାବଦରେ ଚିନ୍ତା ପ୍ରକାଶ କରାଯାଇଛି । ଉକ୍ତ ସନ୍ଦେଶ ମୋଦୀଙ୍କ ନିକଟରେ ପହଞ୍ଚିଥିଲା । ଏହାପରେ ଜୁନ ସୁଦ୍ଧା ମୋଦୀ ସରକାର ଚୀନ ସହ ସମ୍ପର୍କ ସୁଧାର ପାଇଁ ଗମ୍ଭୀର ପ୍ରୟାସ ଆରମ୍ଭ କରିଥିଲେ । ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟକୁ ନେଇ ବିବାଦ ସୃଷ୍ଟି ହେବା ସମୟରେ ଏହା ଘଟିଥିଲା । ମେ ମାସରେ ଭାରତ-ପାକିସ୍ତାନ ସଂଘର୍ଷ ପରେ ଟ୍ରମ୍ପଙ୍କ ମଧ୍ୟସ୍ଥତା ଦାବି ପରେ ଦିଲ୍ଲୀରେ ରୋଷ ବଢ଼ିଥିଲା । ଚଳିତ ସପ୍ତାହରେ ମୋଦୀ ସଂଘାଈ କୋଅପରେସନ ଅର୍ଗାନାଇଜେସନ (ଏସସିଓ) ସମ୍ମିଳନୀ ପାଇଁ ଚୀନ ଯାଉଛନ୍ତି । ସେଠାରେ ସେ ଜିନପିଙ୍ଗ ଓ ପୁଟିନଙ୍କୁ ଭେଟିବେ । ଏହି ତ୍ରିପାକ୍ଷୀୟ ଆଲୋଚନା ଆମେରିକା ପାଇଁ ଚିନ୍ତାଜନକ ବିଷୟ ହେବ ।