ONDC କ’ଣ, ଜାଣନ୍ତୁ କିପରି ଏଥିରୁ ଶସ୍ତାରେ ଅର୍ଡର କରିପାରିବେ ଖାଦ୍ୟ ?

1 min read

ନୂଆଦିଲ୍ଲୀ: ଅନଲାଇନରେ ଖାଦ୍ୟ ଡେଲିଭରି କରୁଥିବା କମ୍ପାନୀ ସ୍ୱିଗି ଓ ଜୋମାଟୋକୁ ଟକ୍କର ଦେବ ONDC । ସ୍ୱିଗି ଓ ଜୋମାଟୋଠାରୁ ONDCରେ ମିଳୁଛି ଶସ୍ତାରେ ଖାଦ୍ୟ । ପେଟିଏମ୍ ଜରିଆରେ ସାଧାରଣ ଲୋକ ଓଏନଡିସିରୁ ଖାଦ୍ୟ ଶସ୍ତାରେ କିଣିପାରିବେ । ୨୦୨୨ ସେପ୍ଟେମ୍ବର ମାସରେ ବାଣିଜ୍ୟ ମନ୍ତ୍ରଣାଳୟ ଅଧିନରେ ଥିବା ବାଣିଜ୍ୟ ଓ ଆଭ୍ୟନ୍ତରୀଣ ବ୍ୟାପାର ପ୍ରସାର ବିଭାଗ ପକ୍ଷରୁ ONDCର ଉନ୍ମୋଚନ ହୋଇଥିଲା । କିଛି ଦିନ ମଧ୍ୟରେ ଏହା ଲୋକପ୍ରିୟ ହୋଇଛି । ଏକ ରିପୋର୍ଟ ଅନୁସାରେ ଏହି ପ୍ଲାଟଫର୍ମରେ ଦୈନିକ ୧୦ ହଜାର ଅର୍ଡର ଆସୁଛି । ଦିନକୁ ଦିନ ONDC ଏତେ ଲୋକପ୍ରିୟ ହେଲାଣି ଯେ ସାଧାରଣ ଲୋକ ପ୍ରତିଦିନ ସୋସିଆଲ ମିଡିଆରେ ସ୍ୱିଗି, ଜୋମାଟୋ ଓ ONDC ମଧ୍ୟରେ ଥିବା ଅନ୍ତରକୁ ପୋଷ୍ଟ କରୁଛନ୍ତି । ONDରେ ଏବେ ୨୯ ହଜାରରୁ ଅଧିକ ବିକ୍ରେତା ଯୋଡ଼ି ହୋଇସାରିଛନ୍ତି ।

ଓଏନଡିସି କ’ଣ ?

ଓଏନଡିସି ହେଉଛି ଓପନ୍ ନେଟଓ୍ୱାର୍କ ଫର ଡିଜିଟାଲ କମର୍ସ । ଇ କମର୍ସର ପ୍ରସାର ପାଇଁ ଏହାକୁ ଭାରତ ସରକାର ବିକାଶ କରିଛନ୍ତି । ଏଥିରେ କ୍ରେତା ଓ ବିକ୍ରେତାମାନେ ଯୋଡ଼ିହୋଇପାରୁଛନ୍ତି । ଏହା ଜରିଆରେ ବିଭିନ୍ନ କ୍ଷେତ୍ରର ବିକ୍ରେତାମାନେ ସିଧାସଳଖ ଗ୍ରାହକଙ୍କୁ ସେମାନଙ୍କ ସାମଗ୍ରୀ ବିକ୍ରି କରିପାରୁଛନ୍ତି। ସେମାନଙ୍କୁ ଆଉ କୌଣସି ତୃତୀୟ ପକ୍ଷ ସଂସ୍ଥାର ପ୍ଲାଟଫର୍ମରେ ଯୋଡ଼ି ହେବାକୁ ପଡ଼ୁନାହିଁ । ଓଏନଡିସି ଜରିଆରେ ଗ୍ରାହକମାନେ ଖାଦ୍ୟ, ପୋଷାକ, ଗ୍ରୋସରୀ, କ୍ୟାବ୍ ଓ ସିନେମା ଟିକଟ ବୁକିଂ କରିପାରିବେ ।

କିଭଳ ବ୍ୟବହାର କରିବେ ?

ଓଏନଡିସି କୌଣସି ସ୍ବତନ୍ତ୍ର ଆପ୍ ନୁହେଁ ଯାହାକୁ ଆପ୍ ଷ୍ଟୋରରୁ ଡାଉନଲୋଡ୍ କରିବାକୁ ପଡ଼ିବ। ଏହା ୟୁପିଆଇ ବ୍ୟବସ୍ଥା ଭଳି କାମ କରୁଛି। ଯଦି ଆପଣ ପେଟେଏମ୍ ବ୍ୟବହାର କରୁଛନ୍ତି ତେବେ ଓଏନଡିସିକୁ ସହଜରେ ବ୍ୟବହାର କରିପାରିବେ । ପେଟିଏମ୍ ଆପ୍ ଖୋଲି ତାହାର ସର୍ଚ୍ଚ ବାରରେ ଓଏନଡିସି ଟାଇପ୍ କରିବାକୁ ପଡ଼ିବ । ସେଥିରେ ଫୁଡ୍‌ ଓଏନ୍‌ଡିସି ଭଳି ବିଭିନ୍ନ ବର୍ଗ ଆସିବ। ଆପଣ ନିଜ ପସନ୍ଦର ବର୍ଗକୁ ଚୟନ କରି କରି ସେହି ସାମଗ୍ରୀ ଲାଗି ବରାଦ ଦେଇପାରିବେ। ଅନ୍ୟ ପ୍ଲାଟଫର୍ମ ତୁଳନାରେ ଏଥିରେ ବହୁତ ଶସ୍ତାର ଜିନିଷ କିଣିପାରିବେ ।