କୌଣସି ଆତଙ୍କବାଦୀ ସଂଗଠନ ଉପରେ ବ୍ୟାନ ଲଗାଇଲେ କ’ଣ ଫାଇଦା ମିଳିଥାଏ?
1 min read
କୌଣସି ଆତଙ୍କବାଦୀ ସଂଗଠନ ଉପରେ ବ୍ୟାନ ଲଗାଇବା ଏକ ଗମ୍ଭୀର ଓ ରଣନୀତିକ ନିଷ୍ପତ୍ତି ହୋଇଥାଏ । ଏହା ଦେଶର ସୁରକ୍ଷା ଓ ଜନତାଙ୍କ ହିତ ପାଇଁ ନିଆଯାଇଥାଏ । ରାଷ୍ଟ୍ରୀୟ ଓ ବିଶ୍ବ ସୁରକ୍ଷାକୁ ସୁନିଶ୍ଚିତ କରିବା ହେଉଛି ଏହାର ଉଦ୍ଦେଶ୍ୟ । ସରକାର ଆତଙ୍କବାଦୀ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇ ସେମାନଙ୍କର ଗତିବିଧିକୁ ସୀମିତ କରିଥାନ୍ତି । ନିକଟରେ ଆମେରିକା ଆତଙ୍କୀ ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ବା TRFକୁ ବିଦେଶୀ ଆତଙ୍କୀ ସଂଗଠନ ଘୋଷିତ କରିଛି । ଏହାକୁ ଭାରତର ବଡ଼ କୂଟନୈତିକ ବିଜୟ ବୋଲି କୁହାଯାଉଛି । ଟିଆରଏଫ ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । ତେବେ କୌଣସି ଆତଙ୍କବାଦୀ ସଂଗଠନ ଉପରେ ବ୍ୟାନ ଲଗାଇବା ଫଳରେ କ’ଣ ଫାଇଦା ମିଳିଥାଏ, ତାହା ଏକ ବଡ଼ ପ୍ରଶ୍ନ ।
କୌଣସି ଆତଙ୍କବାଦୀ ସଂଗଠନକୁ ଚଳାଇବା ପାଇଁ ଧନର ଆବଶ୍ୟକତା ପଡ଼ିଥାଏ । ବ୍ୟାନ ଲଗାଯିବା ପରେ ଏପରି ସଂଗଠନଗୁଡ଼ିକର ବ୍ୟାଙ୍କ ଖାତା ଓ ସମ୍ପତ୍ତି ଜବତ କରାଯାଇପାରେ । ସେହି କାରଣରୁ ହତିଆର କିଣିବା ଓ ଆତଙ୍କୀ କାର୍ଯ୍ୟକଳାପ କରିବାର କ୍ଷମତା ହ୍ରାସ ପାଇଥାଏ । ଏପରି କି ପ୍ରତିବନ୍ଧିତ ସଂଗଠନର ସଦସ୍ୟଙ୍କୁ ଗିରଫ କରାଯିବା, ସେମାନଙ୍କ ଉପରେ ମକଦ୍ଦମା ଚାଲିବା ସହଜ ହୋଇଯାଇଥାଏ । ଆତଙ୍କୀ ସଂଗଠନ ସହ ଜଡ଼ିତ ବ୍ୟକ୍ତିକୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ବା ଆଜୀବନ କାରାବାସର ନିୟମ ରହିଛି । ପ୍ରତିବନ୍ଧିତ ସଂଗଠନର ସଦସ୍ୟଙ୍କୁ ଅପରାଧୀ ବୋଲି ଗ୍ରହଣ କରାଯାଇଥାଏ । ସେମାନଙ୍କୁ ଗିରଫ କରିବା, ଯାଞ୍ଚ କରିବା କ୍ଷେତ୍ରରେ ପୋଲିସକୁ ସହାୟତା ମିଳିଥାଏ । ଆତଙ୍କୀ କାର୍ଯ୍ୟକଳାପ ଉପରେ ଲଗାମ ଲାଗିବାରେ ସହାୟକ ହୋଇଥାଏ ।
କୌଣସି ଆତଙ୍କବାଦୀ ସଂଗଠନକୁ ବ୍ୟାନ କରିବା ପରେ ସୁରକ୍ଷା ଏଜେନ୍ସି ସଂଗଠନର ଗତିବିଧି ଉପରେ କଡ଼ା ନଜର ରଖିଥାଏ । ଫଳରେ ଆତଙ୍କବାଦୀ ଆକ୍ରମଣରର ସମ୍ଭାବନା କମ୍ ହୋଇଯାଇଥାଏ । ଆତଙ୍କୀ ସଂଗଠନର ଫଣ୍ଡିଂ ରୋକିବା ଫଳରେ ଅବୈଧ ଧନର ପ୍ରବାହ କମ୍ ହୋଇଥାଏ, ଯାହାକି ଅର୍ଥବ୍ୟବସ୍ଥାକୁ ସ୍ଥିର ରଖିଥାଏ । ଆତଙ୍କବାଦ ବିପକ୍ଷରେ କଠୋର ପଦକ୍ଷେପ ସମାଜରେ ବିଶ୍ବାସ ବଢ଼ିଥାଏ ଓ ଲୋକମାନେ ସୁରକ୍ଷିତ ଅନୁଭବ କରିଥାନ୍ତି । ଆତଙ୍କବାଦ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଦ୍ବାରା ଦେଶର ବିଶ୍ବ ଛବି ମଜବୁତ ହୋଇଥାଏ । ଅନ୍ୟ ଦେଶ ସହ ସହଯୋଗ ବଢ଼ିଥାଏ । ଭାରତ ନିକଟରେ ୬୭ ଆତଙ୍କୀ ସଂଗଠନକୁ ପ୍ରତିବନ୍ଧିତ କରିଥିବା ନେଇ ଗୃହ ମନ୍ତ୍ରଣାଳୟ ତରଫରୁ ଜାରି ସୂଚୀରେ ଉଲ୍ଲେଖ କରାଯାଇଛି ।