spot_img

Latest Posts

ଶେଷରେ ନରମିଲା ହ୍ୱାଟ୍ସଆପ୍: ପ୍ରାଇଭେସି ପଲିସିକୁ ରଖିଲା ସ୍ଥଗିତ

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ପ୍ରାଇଭେସି ପଲିସିକୁ ନେଇ ତୀବ୍ର ବିରୋଧ ଦେଖାଦେଇଛି। ଏତେ ମାତ୍ରାରେ ବିରୋଧ ହେବା ପରେ ଶେଷରେ ନରମିଛି ହ୍ୱାଟ୍ସଆପ୍। ପ୍ରାଇଭେସି ପଲିସିକୁ ୩ ମାସ ପାଇଁ ସ୍ଥଗିତ ରଖିଛି।

ନିକଟରେ ହ୍ୱାଟ୍ସଆପ୍ ନିଜ ପ୍ରାଇଭେସି ପଲିସିରେ କିଛି ପରିବର୍ତ୍ତନ ଆଣିଥିଲା। ଯାହା ମୁତାବକ ୟୁଜର୍ସଙ୍କ ତଥ୍ୟ ଗୁଡ଼ିକୁ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଶେୟାର କରାଯିବ। ଯଦି ୟୁଜର୍ସ ମାନେ ଫେବୃଆରୀ ୮ ତାରିଖ ସୁଦ୍ଧା ଏନେଇ ସହମତି ନଦିଅନ୍ତି ତାହେଲେ ସେମାନଙ୍କ ଆକାଉଣ୍ଟ ଡିଲିଟ୍ କରି ଦିଆଯିବ। ଏହାକୁ ନେଇ ବ୍ୟବହାରକାରୀଙ୍କ ଅସନ୍ତୋଷ ପରେ ହ୍ୱାଟସ୍‌ଆପ୍‌ ପଛଘୁଞ୍ଚା ଦେଇଛି।

ନିକଟରେ କମ୍ପାନୀ ସ୍ପଷ୍ଟୀକରଣ ଦେବା ସତ୍ୱେ ବି ଏହି ପଲିସିକୁ ବ୍ୟବହାରକାରୀଙ୍କ ସମେତ ବିଭିନ୍ନ କ୍ଷୁଦ୍ର ବ୍ୟବସାୟୀ ସଂଗଠନ ମାନେ ବିରୋଧ କରିଛନ୍ତି। ଏହି ବିରୋଧର ପରିମାଣ ଏତେ ବଢୁଛି ଯେ ଏବେ ୟୁଜର୍ସ ମାନେ ହ୍ୱାଟ୍ସଆପ୍ ବଦଳରେ ସିଗନାଲ୍ ଆପ୍ ଆଡେ ମୁହାଁଉଛନ୍ତି । ଏପରିକି ସିଗନାଲ୍ ଆପ୍ ଗୁଗୁଲ୍ ପ୍ଲେ ଷ୍ଟାରର ଟପ୍ ଚାର୍ଟରେ ରହିଛି। ତେଣୁ ଉପୋଭୋକ୍ତାଙ୍କୁ ମନେଇବା ପାଇଁ ହ୍ୱାଟସ୍‌ଆପ୍‌ ପକ୍ଷରୁ ପ୍ରାଇଭେସି ପଲିସିକୁ ଆସନ୍ତା ୩ ମାସ ପାଇଁ ସ୍ଥଗିତ ରଖାଯାଇଛି।

ସୁରକ୍ଷା ଓ ବ୍ୟକ୍ତିଗତ ଗୋପନୀୟତାକୁ ନେଇ ୟୁଜରଙ୍କ ମଧ୍ୟରେ ଥିବା ବିଭ୍ରାନ୍ତକୁ ଦୂର କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ହ୍ୱାଟସ୍‌ଆପ୍‌ ପକ୍ଷରୁ କୁହାଯାଇଛି। ଆସନ୍ତା ଫେବୃଆରୀ ୮ ତାରିଖରେ କୌଣସି ବି ହ୍ୱାଟସ୍‌ଆପ୍‌ ଆକାଉଣ୍ଟ  ସସ୍‌ପେଣ୍ଡ ବା ଡିଲିଟ କରିବାକୁ ପଡ଼ିବ ନାହିଁ । ହ୍ୱାଟସ୍‌ଆପ୍‌ରେ ଗୋପନୀୟତା ଏବଂ ସୁରକ୍ଷା କିଭଳି କାମ କରୁଛି ସେ ନେଇ ସୂଚନା ଦେବା ଲାଗି ଆଗକୁ ଆହୁରି ଅଧିକ କାମ ଚାଲିଛି। ଆସନ୍ତା ମେ’ ୧୫ରେ ନୂଆ ଅପଡେଟ୍‌ ଅପସନ୍‌ ଉପଲବ୍ଧ ହେବା ପୂର୍ବରୁ ଲୋକଙ୍କ ମଧ୍ୟରେ ଥିବା ଭ୍ରମ ଦୂର ହୋଇଯିବ ବୋଲି ହ୍ୱାଟସ୍‌ଆପ୍‌ କହିଛି।

 

Latest Posts

Don't Miss