କେବେ ମିଳିବ ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି: ମାନବାଧିକାର କମିଶନଙ୍କ ନିର୍ଦ୍ଦେଶକୁ ବେଖାତିର

ଦୂଷିତ ପାଣି ପିଇ ଲୋକଙ୍କ ଜୀବନ ଗଲା। ପ୍ରସଙ୍ଗ ମାନବାଧିକାର କମିଶନକୁ ଆସିଲା। ପ୍ରଥମେ ସମନ ପରେ ବି ସରକାରୀ ଅଧିକାରୀ ସାମିଲ ହେଲେନି। ପରେ ତାଗିଦ ପରେ ହାଜର ହେଲେ। କିନ୍ତୁ ଏ ଯାଏ କମିଶନଙ୍କ ନିକଟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ବଦଳରେ ସମୟ ଗଡାଇଚାଲିଛି ପ୍ରଶାସନ । ଜୁନ ଶେଷ ସୁଦ୍ଧା ଲୋକଙ୍କୁ ମେଗା ପ୍ରକଳ୍ପ ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ କମିଶନଙ୍କ ଆଗରେ ପ୍ରଥମେ କହିଲେ ସରକାର। ପରବର୍ତ୍ତୀ ତାରିଖରେ ପୁଣି ମତ ବଦଳାଇ ଜୁଲାଇ ଶେଷ ସୁଦ୍ଧା ପାଣି ଦେବାକୁ କହିଲେ । ଆଜି ଶୁଣାଣି ବେଳେ ପୁଣି ଡିସେମ୍ବର ଶେଷ ସୁଦ୍ଧା ପାନୀୟ ଜଳ ଦେବାକୁ କହିଛନ୍ତି । ଯାହାକୁ ନେଇ ବର୍ଷିଛନ୍ତି ଲୋକେ । ଡିସେମ୍ବର କଣ ବର୍ଷେ ଭିତରେ ପିଇବା ପାଣି ଦେଇପାରିବେ କି ନାହିଁ ସନ୍ଦେହ ବୋଲି କୁହାଯାଇଛି। କଣାସ, ସତ୍ୟବାଦୀ ଓ ବ୍ରହ୍ମଗିରି ଅଞ୍ଚଳର ୧୫୩ ଗାଁ ମଧ୍ୟରୁ ଏ ଯାଏ ମାତ୍ର ୫ ରୁ ୭ ଟି ଗାଁକୁ ପାଣି ଯୋଗାଯାଇ ପାରିଛି । ୨୦ ଗାଁକୁ ଟ୍ରାଏଲ ରନ ହୋଇଛି । କିନ୍ତୁ ବାରମ୍ବାର କୋର୍ଟ ଆଗରେ ପରିବର୍ତ୍ତିତ ତଥ୍ୟ ରଖୁଛନ୍ତି ସରକାର। ପରବର୍ତ୍ତୀ ତାରିଖରେ ସରକାରଙ୍କ ପଦକ୍ଷେପର ପ୍ରକୃତ ସତ୍ୟ କମିଶନଙ୍କୁ ଜଣାଯିବ ବୋଲି କୁହାଯାଇଛି।

ସ୍ଥାନୀୟ ଲୋକଙ୍କ କହିବା କଥା ଶୁଦ୍ଧ ପାଣି ଯୋଗାଇବାକୁ ନେଇ ବାରମ୍ବାର ତାରିଖ ଗଡାଇଚାଲିଛନ୍ତି ସରକାର। ସରକାରଙ୍କ ଆନ୍ତରିକତା ଅଭାବରୁ ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି। ଏପରିକି ଟ୍ୟାଙ୍କର ଯୋଗେ ପୂର୍ବରୁ ଯେଉଁ ପାଣି ଯୋଗାଯାଉଥିଲା ଏବେ ତାହା ମଧ୍ୟ କମି କମି ଗଲାଣି। ସାତ ଆଠଟି ଟାଙ୍କି ମଧ୍ୟରୁ ଏବେ ଦୁଇ ତିନି ଦିନରେ ଥରେ ଦୁଇ ତିନୋଟି ଟ୍ୟାଙ୍କର ଆସୁଛି । ବହୁ ଗାଁକୁ ଆଉ ଟ୍ୟାଙ୍କର ବି ଆସୁନି। ଦୂଷିତ ପାଣି ପିଇ ଲୋକ ମଲେ । ସରକାର ଏବେ ଦାୟିତ୍ୱ ନିଅନ୍ତୁ ନ ହେଲେ ଦୁର୍ବାର ଜନ ଆନ୍ଦୋଳନ ହେବ ବୋଲି ଚେତାଇ ଦେଇଛନ୍ତି ଅଞ୍ଚଳବାସୀ । ଯେଉଁ ଦୂଷିତ ପାଣି ପିଇ ଲୋକଙ୍କ ଜୀବନ ଯାଇଥିଲା ସେହି ଦୂଷିତ ପାଣି ପୁଣି ଏବେ ପିଇବାରେ ଲାଗିଲେଣି ଲୋକେ। ଫଳରେ ଲୋକେ ଅତିଷ୍ଠ ହୋଇପଡିଲେଣି। ମାନବାଧିକାର କମିଶନଙ୍କ ନିକଟରେ ପଞ୍ଚାୟତିରାଜ ବିଭାଗ ଓ ପୁରୀ ଜିଲ୍ଲାପାଳ ମେଗା ପାନୀୟ ଜଳ ପ୍ରକଳ୍ପ ସମ୍ପର୍କରେ ମନ୍ତବ୍ୟ ଦେଇଛନ୍ତି । ଆସନ୍ତା ଅକ୍ଟୋବର ୨୮ ରେ କମିଶନ ପରବର୍ତ୍ତୀ ଶୁଣାଣି କରିବେ।