ଉଦ୍ଧାର ହେଲା ଭାଇର ମୃତଦେହ, ମିଳୁନି ଭଉଣୀର ପତ୍ତା

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ବୃନ୍ଦାବନପୁର ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା । ମାମଲାରେ ଆସିଲା ନୂଆ ଟୁଇଷ୍ଟ । ମୃତ ଅନୀଲ ନାୟକଙ୍କ ଭଉଣୀ ବି ୨୦ ଦିନ ହେଲା ନିଖୋଜ ଅଛନ୍ତି । ନିଖୋଜ ନାବାଳିକା ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀ ଅନୀତା ନାୟକ । ୨୦ ଦିନ ତଳେ କଲେଜ ଯାଇ ଆଉଫେରିନାହାନ୍ତି ଅନୀତା । ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଏଯାଏ ତାଙ୍କର ପତ୍ତା ମିଳିନି । ଅନ୍ୟପଟେ ଦୁଇଦିନ ତଳେ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇ ନିଖୋଜ ହୋଇଯାଇଥିବା ଅନୀତା ଭାଇ ଅନୀଲଙ୍କର ରବିବାର ମୃତଦେହ ଉଦ୍ଧାର ହୋଇଛି ।

କେହି ଅନୀଲଙ୍କ ଗଳାକାଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରୁଛି । ଅନୀଲକୁ ଅନ୍ୟ ଜାଗାରେ ହତ୍ୟା କରି ଏଠାରେ ଫୋପାଡ଼ି ଯାଇଥିବା ସନ୍ଦେହ କରାଯାଉଛି । ତେବେ ପରିବାର ଲୋକଙ୍କ କହିବା ଅନୁସାରେ ତାଙ୍କର କାହା ସହିତ ପୂର୍ବ ଶତ୍ରୁତା ନଥିଲା । ତେବେ ମାମଲାର ଉପଯୁକ୍ତ ତଦନ୍ତ କରିବା ସହିତ ନିଖୋଜ ଝିଅକୁ ଖୋଜିବାକୁ ଅନୁରୋଧ କରିଛନ୍ତି ପରିବାର ଲୋକ ।