କୋଭାକ୍ସିନ୍ ନା କୋଭିସିଲ୍ଡ? ଜାଣନ୍ତୁ କେଉଁ ଟିକା ଲଗାଇଲେ ସୃଷ୍ଟି ହୁଏ ଅଧିକ ଆଣ୍ଟିବଡି

1 min read

ନୂଆଦିଲ୍ଲୀ: କୋଭାକ୍ସିନ୍ ନା କୋଭିସିଲ୍ଡ? କରୋନା ଭାଇରସ୍ ବିରୋଧରେ କେଉଁ ଭ୍ୟାକ୍ସିନ୍ ଅଧିକ ପ୍ରଭାବଶାଳୀ ? କେଉଁ ଭ୍ୟାକ୍ସିନ୍ ଲଗାଇବା ଦ୍ୱାରା ସଂକ୍ରମଣର ବିପଦ ଆଦୌ ରହିବନାହିଁ । କେଉଁ ଭ୍ୟାକ୍ସିନ୍‌ର ସାଇଡ ଇଫେକ୍ୱର ସବୁଠାରୁ କମ୍ ? କେଉଁ ଭ୍ୟାକ୍ସିନ୍ ଲଗାଇବା ଦ୍ୱାରା ଶରୀରରେ ଅଧିକ ଆଣ୍ଟିବଡି ପ୍ରସ୍ତୁତ ହୋଇଥାଏ ? ଏହି ସବୁ ଦିଗକୁ ନେଇ କୋଭିଡ -୧୯ ଭ୍ୟାକ୍ସିନ୍ ଆନାଲିସିସ୍ ଟିମ୍ (COVAT) ପକ୍ଷରୁ କରାଯାଇଥିବା ଗବେଷଣାର ରିପୋର୍ଟ ପ୍ରକାଶ ପାଇଛି ।

ଦେଶରେ କରୋନା ଦ୍ୱିତୀୟ ପ୍ରବାହ ଜାରି ରହିଥିବା ବେଳେ ବିଶେଷଜ୍ଞମାନେ ତୃତୀୟ ଲହର ନେଇ ପୂର୍ବାନୁମାନ କଲେଣି । ଆଉ ଏହି ତୃତୀୟ ପ୍ରବାହକୁ ରୋକିବାରେ ଭ୍ୟାକ୍ସିନ୍ ସବୁଠାରୁ ଅଧିକ ସହାୟକ ହେବ ବୋଲି ବିଶେଷଜ୍ଞଙ୍କ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ଦେଶରେ କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା ଦିଆଯାଉଥିବା ବେଳେ ଆଉ କିଛି ଟିକାକୁ ମଧ୍ୟ ଅନୁମତି ଦିଆଯାଇଛି । ତେବେ ପ୍ରଚଳିତ ୨ ଟିକାକୁ ମଧ୍ୟ କେଉଁ ଟିକା ଅଧିକ ପ୍ରଭାବଶାଳୀ ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି ।

ସଦ୍ୟ ପ୍ରକାଶିତ ରିପୋର୍ଟ ମୁତାବକ ଅକ୍ସଫୋର୍ଡ ଆଷ୍ଟ୍ରାଜେନିକାର କୋଭିସିଲ୍ଡ , ସ୍ୱଦେଶୀ ଭ୍ୟାକ୍ସିନ୍ କୋଭାକ୍ସିନ୍ ତୁଳନାରେ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଥାଏ । COVAT ପକ୍ଷରୁ କରାଯାଇଥିବା ଏହି ଅଧ୍ୟୟନରେ ଅନୁସାରେ କୋଭାକ୍ସିନ୍ ନେଇଥିବା ଲୋକମାନଙ୍କ ତୁଳନାରେ କୋଭିସିଲ୍ଡ ନେଉଥିବା ଲୋକଙ୍କ ନିକଟରେ ଅଧିକ ଆଣ୍ଟିବଡ଼ି ସୃଷ୍ଟି ହୋଇଥାଏ । ଅଧ୍ୟୟନରେ ମୋଟ ୫୫୨ ସ୍ୱାସ୍ଥ୍ୟକର୍ମୀଙ୍କୁ ସାମିଲ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ୩୦୫ ଜଣ ପୁରୁଷ ଓ ୨୧୦ ମହିଳା ଥିଲେ । ସେମାନଙ୍କ ମଧ୍ୟରୁ ମୋଟ ୪୨୫ ଜଣ କୋଭିସିଲ୍ଡ ଓ ୯୦ ଜଣ କୋଭାକ୍ସିନ୍ ଟିକା ନେଇଥିଲେ । ଏମାନଙ୍କ ନିକଟରେ ଯଥାକ୍ରମେ  ୯୮.୧ ପ୍ରତିଶତ ଓ ୮୦ ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା ରିପୋର୍ଟରେ ପ୍ରକାଶ ।

କୋଭିସିଲ୍ଡ ଦ୍ୱାରା ରକ୍ତରେ ସୃଷ୍ଟି ହେଉଥିବା ଆଣ୍ଟିବଡି ଟାଇଟର ହେଉଛି ୧୧୫ ଆର୍ବିଟାରୀ ୟୁନିଟ୍ ପର୍‌ ମିଲିଲିଟର ଏବଂ କୋଭାକ୍ସିନ୍ ଦ୍ୱାରା ୫୧ ଏୟୁ ବା ଆର୍ବିଟାରୀ ପର୍ ମିଲିମିଟର । ତେବେ ଶରୀରରେ ସୃଷ୍ଟି ହୋଇଥିବା ଆଣ୍ଟିବଡ଼ିକୁ ଯୋଗୁଁ ଗ୍ରହୀତା କେତେ ପ୍ରତିଶତ ସୁରକ୍ଷିତ ଏ ନେଇ ଆକଳନ କରିହେବନାହିଁ ।  ଅନ୍ୟପକ୍ଷରେ କରୋନା ଟିକା ଗ୍ରହୀତାଙ୍କ ମଧ୍ୟରୁ ୨୭ ଜଣ ସଂକ୍ରମିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କ ଠାରେ ହାଲୁକା ସଂକ୍ରମଣ ଦେଖାଦେଇଥିବା ବେଳେ ୨ ଜଣଙ୍କ ଠାରେ ମଧ୍ୟମ ଧରଣର ସଂକ୍ରମଣ ଦେଖିବାକୁ ମିଳିଥିଲା । କିନ୍ତୁ କାହାର ମୃତ୍ୟୁ ହୋଇନଥିଲା । ତେବେ ଲିଙ୍ଗଗତ, ବ୍ଳଡଗ୍ରୁପ୍ ଦୃଷ୍ଟିରୁ ଆଣ୍ଟିବଡ଼ି ସୃଷ୍ଟି ହେବାର କୌଣସି ଫରକ ଦେଖାଯାଏନି । କିନ୍ତୁ ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ଟାଇପ୍ ୨ ମଧୁମେହ ରୋଗୀଙ୍କ ଠାରେ ତୁଳନାତ୍ମକ ଭାବେ   ସେରୋପଜିଟିଭ୍ ରେଟ୍ ବହୁତ କମ୍ ଥିଲା । ଯାହା କମ୍ ଆଣ୍ଟିବଡି ସୃ୍ଷ୍ଟି କରିଥିବା ସଂକେତ ଦେଉଛି । ତେବେ ସାରା ଦେଶର ଡାକ୍ତରଙ୍କ ରିପୋର୍ଟ ଅନୁଯାୟୀ , ଉଭୟ ଟିକା ଭଲ କାମ କରୁଛନ୍ତି । ଏବଂ ଅଧିକରୁ ଅଧିକ ଟିକାକରଣ କରାଗଲେ ଏହା ତୃତୀୟ ପ୍ରବାହକୁ ରୋକିବାରେ ସହାୟକ ହେବ ।

Leave a Reply